ଫିଫା ବିଶ୍ଵ କପ୍‌ ସେମି ଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ, ୧୪ରେ ଆର୍ଜେଣ୍ଟିନା- କ୍ରୋଏସିଆ ଏବଂ ୧୫ରେ ଫ୍ରାନସ୍- ମରକ୍କୋ ମୁକାବିଲା

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ:  ଫିଫା ବିଶ୍ଵ କପ୍‌ ସେମି ଫାଇନାଲ୍  ଲାଇନ୍ ଅପ୍ ଚୂଡାନ୍ତ ହୋଇଛି । ପ୍ରଥମ ଆଫ୍ରିକୀୟ  ଦେଶ ଭାବେ ମରକ୍କୋ ସେମି ଫାଇନାଲ୍‌ରେ ପହଞ୍ଚି ଇତିହାସ ସୃଷ୍ଟି କରିଥିବା ବେଳେ ଗୋଟିଏ ଲାଟିନ୍ ଆମେରିକୀୟ ଦେଶ ଓ ୨ଟି ଇଉରୋପୀୟ ଦେଶ ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେହିଭଳି ବିଶ୍ଵ ଫୁଟବଲ୍‌ର ବହୁ ଶକ୍ତିଶାଳୀ ଦେଶ କିଏ ଲିଗ୍ ପର୍ଯ୍ୟାୟରୁ ତ କିଏ କ୍ବାଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି।

ଫିଫା ବିଶ୍ଵ କପ୍ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା- କ୍ରୋଏସିଆ ଓ  ଫ୍ରାନସ୍- ମରକ୍କୋ ମଧ୍ୟରେ ହେବ ଟକ୍କର । ଗତକାଲି  ଖେଳାଯାଇଥିବା ତୃତୀୟ ଏବଂ ଚତୁର୍ଥ କ୍ବାଟର ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ମରକ୍କୋ-ପର୍ତ୍ତୁଗାଲ୍ ଏବଂ ଫ୍ରାନସ୍- ଇଂଲଣ୍ଡ। ଏଥିରେ ଆଫ୍ରିକୀୟ ଦେଶ ମରକ୍କୋ ୟୁରୋପୀୟ ଦେଶ ପର୍ତ୍ତୁଗାଲକୁ ୧-୦ ଗୋଲ୍‌ରେ ହରାଇଥିଲା । ପ୍ରଥମାର୍ଦ୍ଧରେ ପର୍ତ୍ତୁଗାଲ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ମରକ୍କୋର ଶକ୍ତିଶାଳୀ ଡିଫେଣ୍ଡରଙ୍କ ପାଇଁ ଗୋଟିଏ ହେଲେ ଗୋଲ୍ ଦେଇପାରିନଥିଲା । ହେଲେ ଦ୍ଵିତୀୟାର୍ଦ୍ଧରେ ମରକ୍କୋ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା । ୪୨ ତମ ମିନିଟ୍‌ର ଏକ ଲମ୍ବା ପାସ୍‌କୁ ହେଡର ଯୋଗେ ଗୋଲ୍ ପୋଷ୍ଟକୁ ପଠାଇବାରେ ସଫଳ ହୋଇଥିଲେ ମରକ୍କୋ ଖେଳାଳି । ଆଉ ୧-୦ ଗୋଲ୍‌ରେ ମରକ୍କୋ ଆଗେଇବା ସହ ଶେଷ ପର୍ଯ୍ୟନ୍ତ ଏହା ବଜାୟ ରଖିଥିଲା । ଫଳରେ ପର୍ତ୍ତୁଗାଲ ବିଶ୍ବକପରୁ ବିଦାୟ ନେଇଥିଲା ।

ଗତ ମ୍ୟାଚ୍ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ଖ୍ରୀଷ୍ଟିଆନ୍ ରୋନାଲଡୋଙ୍କୁ ବାହାରେ ବସାଇଥିଲା ଦଳ । ସେହିଭଳି ଶେଷ କ୍ବାଟର ଫାଇନାଲ୍‌ରେ ଇଂଲଣ୍ଡ ଚମତ୍କାର ଖେଳି ଗତଥର ବିଜେତା ଫ୍ରାନସ ଉପରେ ଚାପ ପକାଇଥିଲା। ହେଲେ ଫ୍ରାନ୍ସ ସୁନ୍ଦର ଖେଳ ପ୍ରଦର୍ଶନ କରି ୧୭ ତମ ମିନିଟ୍‌ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା । ହେଲେ ଦ୍ବିତୀୟର୍ଦ୍ଧରେ ଫ୍ରାନସ୍ ଖେଳାଳିଙ୍କୁ ଭୁଲ୍ ଖେଳ ଯୋଗୁଁ ଇଂଲଣ୍ଡକୁ ମିଳିଥିଲା ପେନାଲ୍ଟି । ଏହାକୁ ଗୋଲ୍‌ରେ ପରିଣତ କରି ଇଂଲଣ୍ଡ ସ୍ଥିତି ବରାବର କରିଥିଲା । ଏହାପରେ ୭୮ ତମ୍ ମିନିଟ୍‌ରେ ଗିରାଡୋ ଆଉ ଏକ ଗୋଲ୍ ଦେଇ ଫ୍ରାନସକୁ ସେମିଫାଇନାଲରେ ପହଞ୍ଚାଇଥିଲେ । ଇଂଲଣ୍ଡ ଖେଳାଳିକୁ ଗୋଟିଏ ପେନାଲଟି ମିଳିଥିଲେ ସୁଦ୍ଧା ଏହାକୁ ଗୋଲ୍‌ରେ ପରିଣତ କରିନପାରିବା ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ସେପଟେ ଏଥର ବିଶ୍ଵ କପ୍‌ରେ ବହୁ ବଡବଡ ଦଳ ବିଦାୟ ନେଇଛନ୍ତି । ଗ୍ରୁପ ପର୍ଯ୍ୟାୟରୁ ଶକ୍ତିଶାଳୀ ଜର୍ମାନୀ, ଉରୁଗୁଏ ଏବଂ ପ୍ରି କ୍ଵାର୍ଟର ଫାଇନାଲ୍ ପର୍ଯ୍ୟାୟରୁ ପୋଲାଣ୍ଡ-ଆମେରିକା, ସେନେଗାଲ, ଅଷ୍ଟ୍ରେଲିଆ ଭଳି ଟିମ୍ ବିଦାୟ ନେଇଥିବା ବେଳେ କ୍ବାଟର ଫାଇନାଲ୍ରେ ସବୁଠାରୁ ଶକ୍ତିଶାଳୀ ଦଳ ବ୍ରାଜିଲ୍, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ୍ , ନେଦରଲ୍ୟାଣ୍ଡସ୍ ବାହାରି ଯାଇଛନ୍ତି । ଆସନ୍ତା ୧୪ ରେ ଆର୍ଜେଣ୍ଟିନା-କ୍ରୋଏସିଆ ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ମୁକାବିଲା ହେବ। ସେହିଭଳି ୧୫ ରେ ଫ୍ରାନସ୍-ମରକ୍କୋ ମଧ୍ୟରେ ମୁକାବିଲା ହେବ । ଏବେ ସମସ୍ତଙ୍କ ନଜର ଏହି ୪ ଦଳ ଉପରେ ରହିଛି । ଆର୍ଜେଣ୍ଟିନା ଓ ଫ୍ରାନସ୍ ୨ ଥର ଳେଖାଏଁ ବିଶ୍ବବିଜେତା ରହିଛନ୍ତି । କ୍ରୋଏସିଆ ଗତ ଥର ବିଶ୍ବକପ୍ ଫାଇନାଲ୍‌ରେ ପହଞ୍ଚିଥିଲେ ଥିଲେବି ରନର୍ସ ଅପରେ ସନ୍ତୁ ରହିଛି । ଆଉ ପ୍ରଥମ ଥର ସେମିଫାଇନାଲ୍ରେ ପହଞ୍ଚିବାରେ କୌଣସି ଆଫ୍ରିକୀୟ ଦେଶ ଭାବେ ମରକ୍କୋ ରେକର୍ଡ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.