କତାର ଫୁଟବଲ ବିଶ୍ୱକପ୍‌, ସେମିରେ କ୍ରୋଏସିଆ ଓ ଆର୍ଜେଣ୍ଟିନା

Published By : Prameya-News7 Bureau | December 10, 2022 IST

ଦୋହା ୧୦।୧୨: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ବିଜୟ ଜାରି ରଖି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨(୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨) ପେନାଲ୍ଟି ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା

ଲୁସେଲ ଷ୍ଟାଡିୟମ୍‌ରେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ନେଦରଲାଣ୍ଡ୍‌ସର ଡିଫେନ୍ସ ଲାଇନ୍‌ ଭାଙ୍ଗିବା ଆର୍ଜେଣ୍ଟିନା ପାଇଁ କାଠିକର ପାଠ ହୋଇଥିଲା । ତଥାପି ପ୍ରତି ପୋଜେସନରେ ମେସି ନେଦରଲାଣ୍ଡ୍‌ସ ଡିଫେନ୍ସର ଲୟ ବିଗାଡ଼ିବାକୁ ପ୍ରୟାସ ଚଳାଇଥିଲେ । ଶେଷରେ ମେସିଙ୍କ ରଣ କୌଶଳ ସଫଳ ହୋଇଥିଲା । ୩୫ତମ ମିନିଟ୍‌ରେ ମେସି ସେଣ୍ଟରରୁ ବଲ୍‌ ନେଇ ନେଦରଲାଣ୍ଡ୍‌ସ ଡିଫେଣ୍ଡରମାନଙ୍କୁ ଚକ୍‌ମା ଦେଇ ବକ୍ସ ଭିତରେ ପ୍ରବେଶ କରିଥିଲେ । ଗୋଲ୍‌ ପୋଷ୍ଟକୁ ବଲ୍‌ ମାରିବା ପରିବର୍ତ୍ତେ ସେ ନିକଟରେ ଥିବା ନହୁଏଲ ମୋଲିନାଙ୍କ ନିକଟକୁ ବଲ୍‌ ପଠାଇଥିଲେ । ମୋଲିନା ଆଖି ପିଛୁଳାକେ ବଲ୍‌କୁ ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ଆର୍ଜେଣ୍ଟିନା ଅଗ୍ରଣୀ ହାସଲ କରିଥିଲା ।

ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌କୁ ଫେରିବା ପାଇଁ ନେଦରଲାଣ୍ଡ୍‌ସ ଜୋରଦାର ପ୍ରୟାସ କରିଥିଲା । ମାତ୍ର ଆର୍ଜେଣ୍ଟିନା ଗୋଲ ପାଇଁ ବାଟ ଫିଟାଇ ଚାଲିଥିଲା । ୭୩ତମ ମିନିଟ୍‌ରେ ମାର୍କସ ଆକୁନାଙ୍କୁ ବକ୍ସ ଭିତରେ ନେଦରଲାଣ୍ଡ୍‌ସ ଡିଫେଣ୍ଡର ଡେଞ୍ଜେଲ ଡମ୍ଫ୍ରିସ୍‌ ଫାଉଲ୍‌ ମାରିଥିଲେ । ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା । ମେସି ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିବା ସହ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ଆଗେଇଥିଲା ।ବିଶ୍ୱକପ୍‌ରେ ଏହା ମେସିଙ୍କର ଦଶମ ଗୋଲ୍‌ ରହିଥିଲା ।

ଜବାବରେ ନେଦରଲାଣ୍ଡ୍‌ସ ଲମ୍ବା ପାସ୍‌ ବିନିମୟରେ ଗୋଲ୍‌ ପାଇଁ ପଥ ପ୍ରସ୍ତୁତ କରିଥିଲା । ଶେଷରେ ୮୩ତମ ମିନିଟ୍‌ରେ ଷ୍ଟିଭେନ ବର୍ଗୁଇସ୍‌ଙ୍କ ଏକ ପାସ୍‌କୁ ୱଟ୍‌ ୱେଗହର୍ଷ୍ଟ ହେଡ୍‌ କରି ଗୋଲ୍‌ରେ ପରିଣତ କରିଥିଲେ । ଏହାପରେ ନେଦରଲାଣ୍ଡ୍‌ସ ଘନ ଘନ ଆକ୍ରମଣ କରିଥିଲା । ଇନ୍‌ଜ୍ୟୁରୀ ଟାଇମ୍‌ରେ ଆଉ ଏକ ଗୋଲ କରି ନେଦରଲାଣ୍ଡ୍‌ସ ମ୍ୟାଚ୍‌ର ରୂପରେଖ ବଦଳାଇ ଦେଇଥିଲା । ୯+୧୧ତମ ମିନିଟ୍‌ରେ ଦଳକୁ ମିଳିଥିବା ଏକ ଫ୍ରି-କିକ୍‌କୁ ୱେଗହର୍ଷ୍ଟ ଗୋଲ୍‌ରେ ପରିଣତ କରିଥିଲେ । ୨-୨ରେ ମ୍ୟାଚ୍‌ ବରାବର ରହିଥିଲା । ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା । କିନ୍ତୁ ଗୋଲ୍‌ ସମ୍ଭବ ହୋଇ ନଥିଲା । ଫଳରେ ପେନାଲ୍ଟିରେ ଆର୍ଜେଣ୍ଟିନା ବିଜୟ ହାସଲ କରିଥିଲା ।

ପୂର୍ବରୁ ଏଜୁକେଶନ ସିଟି ଷ୍ଟାଡିୟମ୍‌ରେ କ୍ରୋଏସିଆ ଓ ବ୍ରାଜିଲ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ବ୍ରାଜିଲ୍‌ର ଆକ୍ରମଣ ଜୋରଦାର ରହିଥିଲେ ହେଁ କ୍ରୋଏସିଆ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିଲା । ଜୋରଦାର ଲଢେଇ ମଧ୍ୟରେ ପ୍ରଥମାର୍ଦ୍ଧ ଶେଷ ହୋଇଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରାଜିଲ୍‌ ପ୍ରଭାବ ବିସ୍ତାର କରି ଖେଳିଥିଲା । କ୍ରୋଏସିଆ ଗୋଲ୍‌ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା । ଏଥର କ୍ରୋଏସିଆର ଡିଫେନ୍ସ ଲାଇନ୍‌ ଭଙ୍ଗ କରିଥିଲେ ହେଁ ବ୍ରାଜିଲ୍‌କୁ ଅଟକାଇବା ପାଇଁ ଗୋଲ୍‌ କିପର ଡୋମିନିକ୍‌ ଲିଭାକୋଭିକ୍‌ ପ୍ରସ୍ତୁତ ରହିଥିଲେ । ମୋଟ୍‌ ୮ଟି ପ୍ରୟାସକୁ ଲିଭାକୋଭିକ୍‌ ଅଟକାଇଥିଲେ । ୯୦ ମିନିଟ୍‌ ଖେଳ ଶେଷ ହୋଇଥିଲା । ତଥାପି ଗୋଲ୍‌ ହୋଇନଥିଲା । ବ୍ରାଜିଲ ମୋଟ୍‌ ୧୫ଟି ସୁଯୋଗ ସୃଷ୍ଟି କରିଥିଲା ।

ଅତିରିକ୍ତ ୩୦ମିନିଟ୍‌ ଖେଳ ଆରମ୍ଭ ହୋଇଥିଲା । ଏଥର ମଧ୍ୟ ବ୍ରାଜିଲ ଚିରାଚରିତ ଆକ୍ରମଣ ଜାରି ରଖିଥିଲା । କ୍ରୋଏସିଆ ସବୁ ଶକ୍ତି ଲଗାଇ ବ୍ରାଜିଲ୍‌କୁ ଅଟକାଇଥିଲା । କଠିନ ପରିଶ୍ରମର ମୂଲ୍ୟ ଶେଷରେ ମିଳିଥିଲା । ବ୍ରାଜିଲ୍‌ ଗୋଲ୍‌ ଖାତା ଖୋଲିବାରେ ସଫଳ ହୋଇଥିଲା । ଷ୍ଟାର୍‌ ଷ୍ଟ୍ରାଇକର ନେୟମାର ଗୋଲ୍‌ କରିଥିଲେ । ଲୁକାସ୍‌ ପାକ୍ୱେଟାଙ୍କ ଠାରୁ ଏକ ପାସ୍‌ ପାଇବା ପରେ ନେୟମାର ଦ୍ରୁତ ବେଗରେ କ୍ରୋଏସିଆ ଗୋଲ୍‌ ପୋଷ୍ଟ ଆଡକୁ ମାଡି ଚାଲିଥିଲେ । କ୍ରୋଏସିଆର ୩ ଜଣ ଡିଫେଣ୍ଡରଙ୍କୁ ଅତିକ୍ରମ କରିବା ପରେ ସେ ଶେଷରେ ଲିଭାକୋଭିକ୍‌ଙ୍କୁ ଚକ୍‌ମା ଦେଇ ଗୋଲ୍‌ ପୋଷ୍ଟରେ ବଲ୍‌ ପହଞ୍ଚାଇ ଦେଇଥିଲେ । ବ୍ରାଜିଲ୍‌ର ଗୋଲ୍‌ ସେଲିବ୍ରେସନ ସହ କ୍ଷଣକ ମଧ୍ୟରେ ସମଗ୍ର ଷ୍ଟାଡିୟମ୍‌ କମ୍ପି ଉଠିଥିଲା । ଏହା ନେୟମାରଙ୍କ ୭୭ତମ ଗୋଲ୍‌ ରହିଥିଲା । ସେ ଏହି ଗୋଲ୍‌ ସହ କିମ୍ବଦନ୍ତୀ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ ।

ଦୀର୍ଘ ୮୪ ବର୍ଷ ପରେ ବ୍ରାଜିଲ୍‌ ବିଶ୍ୱକପ୍‌ର ଏକ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ୍‌ କରିଥିଲା । ବ୍ରାଜିଲ୍‌ ଶେଷ ଥର ପାଇଁ ୧୯୩୮ ବିଶ୍ୱକପ୍‌ରେ ପୋଲାଣ୍ଡ ବିପକ୍ଷରେ ୨ଟି ଗୋଲ୍‌ କରିଥିଲା । ଉଭୟ ଗୋଲ୍‌ ଲିଓନିଡାସ୍‌ ସ୍କୋର କରିଥିଲେ । କ୍ରୋଏସିଆ ମ୍ୟାଚ୍‌କୁ ଫେରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା । ବ୍ରାଜିଲ୍‌ର ପ୍ରତି ଆକ୍ରମଣର ଜବାବ ଦେଇଥିଲା । ୧୧୭ତମ ମିନିଟ୍‌ରେ ଏକ ସୁଯୋଗ ସୃଷ୍ଟି ହୋଇଥିଲା । ମାରିଓ ଓର୍ସିକ ଗୋଟିଏ କୋଣରୁ ବଲ୍‌ ନେଇ ଆଗେଇବା ସହ ସାଥୀ ଖେଳାଳି ବ୍ରୁନୋ ପେଟକୋଭିକଙ୍କ ନିକଟକୁ ପାସ୍‌ ପଠାଇଥିଲେ । ପେଟକୋଭିକ୍‌ ଏକ ଶକ୍ତିଶାଳୀ ଭଲି ଜରିଆରେ ବଲ୍‌କୁ ବ୍ରାଜିଲ୍‌ ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ୧-୧ରେ ସ୍ଥିତି ବରାବର ହୋଇଥିଲା । ଏହାପରେ ପେନାଲ୍ଟି ବ୍ରାଜିଲ୍‌ର ସ୍ୱପ୍ନ ଧୂଳିସାତ୍‌ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.