ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮:   ଫିଫା ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରିଛି । ଫିଫା ତୃତୀୟ ପକ୍ଷର ଅଘୋଷିତ ପ୍ରଭାବ କାରଣ ଦର୍ଶାଇ ଏହି ପଦକ୍ଷେପ ନେଇଛି । କେବଳ ଏତିକି ନୁହେଁ ଅକ୍ଟୋବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପର ଆୟୋଜନ ଅଧିକାର ମଧ୍ୟ ଛିନ୍ନ କରିଛି ।  

ନିଜ ବୟାନରେ ଫିଫା କହିଛି ଯେ, କମିଟି ସଦସ୍ୟଙ୍କ ସର୍ବସମ୍ମତି କ୍ରମେ  ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରାଯାଇଛି । ଏଆଇଏଫଏଫରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅଧିକ ରହୁଥିଲା । ଅନେକ ନିୟମକୁ ଭାରତୀୟ ଫୁଟବଲ ସଙ୍ଘ ଉଲ୍ଲଙ୍ଘନ କରିଛି ।

ଆହୁରି ମଧ୍ୟ ଫିଫା କହିଛି ଯେ, ଏଆଇଏଫଏଫକରେ ଥିବା ଏକ ସ୍ୱତନ୍ତ୍ର କମିଟିକୁ ଭାଙ୍ଗିବାକୁ ହେବ । ଏହାସହ ପୂର୍ଣ୍ଣ ରୂପେ ସଙ୍ଘର ପ୍ରଶାସନ ଦାୟିତ୍ୱ ନିଜେ ହିଁ ସଙ୍ଘ ତୁଲାଇବ ତେବେ ନିଲମ୍ବନ ହଟାଇ ଦିଆଯିବ । ନିଲମ୍ବନର ନିୟମ ଅନୁସାରେ, ଅକ୍ଟୋବରରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ଭାରତରେ ଆୟୋଜନ ହୋଇପାରିବ ନାହିଁ । ପରେ ଏନେଇ ସମସ୍ତ ତଥ୍ୟ ଦିଆଯିବ । ଆବଶ୍ୟକ ହେଲେ ମାମଲାକୁ ଯାଞ୍ଚ ସମିତିକୁ ପଠାଇ ଦିଆଯିବ ।

ଅନ୍ତର୍ଜାତୀୟ ଫୁଟବଲ ସଙ୍ଗଠନ ଆହୁରି କହିଛି ଯେ, ସେମାନେ ଭାରତୀୟ କ୍ରୀଡା ମନ୍ତ୍ରାଳୟ ସହ ଲଗାତର ସମ୍ପର୍କରେ ଅଛନ୍ତି । ଭାରତ ପକ୍ଷରୁ ସକରାତ୍ମକ ପରିମାଣ ଆସିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଚଳିତ ମାସରେ ଫିଫା ଏଆଇଏଫଏଫକୁ ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଚେତାବନୀ ଦେଇଥିଲା । ଏହା ସୁପ୍ରିମକୋର୍ଟଙ୍କ ଏଆଇଏଫଏଫରେ ନିର୍ବାଚନ ନେଇ ନିର୍ଦ୍ଦେଶନାମାର କିଛି ଦିନ ପରେ ଆସିଥିଲା । ଅଗଷ୍ଟ ୨୮ରେ ଏଆଇଏଫଏଫର ନିର୍ବାଚନ ହେବ । ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.