ପେରୁରେ ଭୟଙ୍କର ଆନ୍ଦୋଳନ; ରାଷ୍ଟ୍ରପତିଙ୍କୁ ଗିରଫ ପରେ ଜଳୁଛି ହିଂସାର ନିଆଁ, ସେନା କାର୍ଯ୍ୟାନୁଷ୍ଠାନରେ ୧୬ ମୃତ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ପେରୁରେ ଭୟଙ୍କର ହେଉଛି ଆନ୍ଦୋଳନ । ପ୍ରଦର୍ଶନକାରୀ ରାଜପଥ ଉପରେ ବିକ୍ଷୋଭ ଜାରି ରଖିଛନ୍ତି । ସେନା ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ  ପ୍ରାୟ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲଙ୍କୁ ପଦରୁ ହଟାଇ ଗିରଫ କରିବା ପରେ ଆନ୍ଦୋଳନ ଭୟଙ୍କର ହେଉଛି ।

ପେରୁ ଲୋକପାଳ କାର୍ଯ୍ୟାଳୟ ପ୍ରମୁଖ ଇଲିୟାନାଙ୍କ ସୂଚନା ଅନୁଯାୟୀ, ଏହି ବିରୋଧ ପ୍ରଦର୍ଶନରେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦ କୁହାଯାଉଥିବା ବେଳେ ସରକାରୀ ଭାବେ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷରେ ପ୍ରାୟ ୫୨ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଶୁକ୍ରବାର ବିକ୍ଷୋଭ ଆହୁରି ଉଗ୍ର ହୋଇଛି । ପ୍ରଦର୍ଶନକାରୀମାନେ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ, ବିମାନବନ୍ଦର ଓ ଅନ୍ୟ ସ୍ଥାନ ମାନଙ୍କରେ ନିଆଁ ଲଗାଇ ଦେଇଥିଲେ । ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ପ୍ରଦର୍ଶନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେନା । ଏଥିରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀମାନେ ବିମାନବନ୍ଦର ରନଓ୍ବେ ଟ୍ରାକ୍ ଉପରେ ପ୍ରଦର୍ଶନ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ପେରୁ ସେନା ଲହୁ ବୁହା ଗ୍ୟାସ୍ ଏବଂ ବ୍ଲାଙ୍କ୍ ଫାୟାରିଂ କରିଥିଲା । ଆନ୍ଦୋଳନ ପାଇଁ ଦେଶର ୫ଟି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ।

ପେରୁ ପ୍ରତିରକ୍ଷା ମନ୍ତ୍ରୀ ବୟାନ ଜାରି କହିଛନ୍ତି, ପ୍ରଦର୍ଶନକାରୀମାନେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜପଥରୁ କବଜା କରିନେଇଛନ୍ତି । ଆନ୍ଦୋଳନ ଉଗ୍ର ହେଉଥିବାରୁ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଦିଆଯାଇଛି । କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସହିତ ସେନାକୁ ନିୟୋଜିତ କରାଯାଇଛି ।

ପେରୁର ରାଜନୀତି ଇତିହାସକୁ ନଜର ପକାଇଲେ ଏଭଳି ସଂକଟ ୨୦୨୦ରେ ଦେଖିବାକୁ ମିଳିଥିଲା । ପାଞ୍ଚ ଦିନ ମଧ୍ୟରେ ତିନି ଥର ରାଷ୍ଟ୍ରପତିଙ୍କୁ ପରିବର୍ତ୍ତନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.