ଜ୍ୱର Covidର ମୁଖ୍ୟ ଲକ୍ଷଣ ନୁହେଁ: AIIMS

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୭: କୋଭିଡ-୧୯ ମହାମାରୀ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ଙ୍କ ଏକ ଅଧ୍ୟୟନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ହୋଇଥିବା ବେଳେ ସଂକ୍ରମିତଙ୍କ ଲକ୍ଷଣକୁ ନେଇ ଏବେ ଅସମଞ୍ଜସ୍ୟ ଦେଖାଦେଇଛି। ଗବେଷଣା ରିପୋର୍ଟ ଅନୁସାରେ ଜ୍ୱର କୋଭିଡର ମୁଖ୍ୟ ଲକ୍ଷଣ ନୁହେଁ। ଲକ୍ଷଣକୁ ଅପେକ୍ଷା କଲେ ସମସ୍ତ ମାମଲା ଯାଞ୍ଚ ହୋଇପାରିବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଏମ୍ସରେ ଭର୍ତ୍ତି ହୋଇଥିବା ଉତ୍ତର ଭାରତର କୋଭିଡ-୧୯ ସଂକ୍ରମିତ ୧୪୪ ଆକ୍ରାନ୍ତଙ୍କ ମାମଲା ଅନୁଧ୍ୟାନରୁ ଏହି ତଥ୍ୟ ମିଳିଛି। ଏମ୍ସ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆଙ୍କ ସମେତ ମୋଟ ୨୯ ଜଣ ଡାକ୍ତର ଏହି ଅଧ୍ୟୟନରେ ଭାଗନେଇଥିବା ବେଳେ ୨୩ ମାର୍ଚ୍ଚରୁ ୧୫ ଏପ୍ରିଲ ମଧ୍ୟରେ ଭର୍ତ୍ତି ସଂକ୍ରମିତଙ୍କ ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଚିକିତ୍ସା ଲାଗି ଭର୍ତ୍ତି ମାତ୍ର ୧୭ ପ୍ରତିଶତ ସଂକ୍ରମିତଙ୍କ ଠାରେ ଜ୍ୱର ଲକ୍ଷଣ ଦେଖାଯାଇଛି। ତେବେ ଆକ୍ରାନ୍ତଙ୍କ ଏକ ବଡ ଭାଗ ପାଖାପାଖି ୪୪ ପ୍ରତିଶତ ଆଡମିସନ ବେଳେ ଅଣ ଲକ୍ଷଣ ବା ଆସିମ୍ପଟମେଟିକ୍‌ ଥିଲେ ଓ ସମ୍ପୂର୍ଣ୍ଣ ଚିକିତ୍ସା ସମୟ ମଧ୍ୟ ସେମାନଙ୍କର ସେହି ପରି କଟିଥିଲା।

ବାସ୍ତବିକ୍‌ ଏହା ଏକ ଚିନ୍ତାଜନକ ବିଷୟ। କାରଣ କୌଣସି ଲକ୍ଷଣ ନଥିବା ଯୋଗୁ ସେମାନେ କମ୍ୟୁନିଟି ସ୍ତରରେ ସଂକ୍ରମଣର ବାହକ ହୋଇପାରନ୍ତି ଓ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରନ୍ତି। ଏପରି ସଂକ୍ରମିତ ପ୍ରାୟ ଯୁବକ ଓ ଆରଟି ପିସିଆର ଟେଷ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନେଗେଟିଭ ରହୁଥିଲେ।  ସେମାନଙ୍କ ଚିକିତ୍ସା ଲାଗି ଆଇସିୟୁର ବି ଆବଶ୍ୟକତା ପଡିନଥିଲା। ଏପରି ଲୋକେ ଘରୋଇ ସ୍ତରରେ ସଂକ୍ରମିତ ହୋଇଥିଲେ ନଚେତ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଇ କିମ୍ବା କୋଭିଡ-୧୯ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ସଂକ୍ରମିତ ହୋଇଥିଲେ।

ମୋଟ ୧୪୪ଜଣଙ୍କ ମଧ୍ୟରୁ ମାତ୍ର ୨.୮ ପ୍ରତିଶତଙ୍କ ଠାରେ ସଂକ୍ରମଣ ଗୁରୁତର ଥିଲା। ବାକି ୯୭.୨ ପ୍ରତିଶତ ଆଂଶିକରୁ ମଧ୍ୟମ ସଂକ୍ରମିତ ଥିଲେ। ତେବେ ଆଡମିସନ ବେଳେ କେବଳ ୧୬ ଜଣ ଅର୍ଥାତ ୧୧.୧ ପ୍ରତିଶତଙ୍କ ଠାରେ ଜ୍ୱରର ଲକ୍ଷଣ ଥିଲା। ଅଧ୍ୟୟନରୁ ସଂକ୍ରମଣର ଜଟିଳତା ବୟସ, ଲିଙ୍ଗ, ଧୂମପାନ ଅଭ୍ୟାସ, ଟିଏଲସି ଗ୍ରେଡିଂ ଅଥବା ଲିମ୍ଫୋପେନିଆ ସହ କୌଣସି ପ୍ରକାର ସମ୍ପର୍କ ଥିବାର ପ୍ରମାଣ ମିଳି ନାହିଁ। ତେବେ ଅଧ୍ୟୟନରୁ ସଂକ୍ରମଣର ଗମ୍ଭିରତା ନ୍ୟୁଟ୍ରି ଫିଲ ଟୁ ଲିମ୍ଫୋସାଇଟି ରେସିଓ ସହ ସମ୍ପର୍କ ଥିବାର ଜଣାପଡିଥିଲା ବୋଲି ଅଧ୍ୟୟନରୁ ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.