ଶମ୍ଭୁ ବର୍ଡରରେ ଭିନେଶ ଫୋଗାଟ, କହିଲେ-ସ୍ୱର ଉତ୍ତୋଳନ ସବୁବେଳେ ହୋଇ ନଥାଏ ରାଜନୈତିକ

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ : ଶମ୍ଭୁ ବର୍ଡରରେ ଦୀର୍ଘ ସମୟରୁ ଚାଲିଥିବା କୃଷକ ଆନ୍ଦୋଳନ ଶନିବାର ୨୦୦ ଦିନରେ ପହଞ୍ଚିଛି । ଏହି ଅବସରରେ ଚାଷୀମାନେ ବଡ଼ ଧରଣର ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି । ଏଥି ମଧ୍ୟରେ ଅଲିମ୍ପିୟାନ ରେସ୍ଲର ଭିନେଶ ଫୋଗଟ ଶମ୍ଭୁ ବର୍ଡର ପହଞ୍ଚିଛନ୍ତି। ଚାଷୀମାନେ ସେଠାରେ ତାଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିବା ବେଳେ ଏହି ବିଶେଷ କାର୍ଯ୍ୟକ୍ରମରେ ଭିନେଶ ଫୋଗାଟଙ୍କୁ ତାଙ୍କ ସମର୍ଥନ ନିମନ୍ତେ ଚାଷୀ ଆନ୍ଦୋଳନ ନେତାଙ୍କ ଦ୍ୱାରା ତାଙ୍କୁ ସମ୍ମାନୀତ କରାଯାଇଛି। 

ଭିନେଶ ଫୋଗାଟ ଚାଷୀଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇ କହିଛନ୍ତି ଯେ ‘ଚାଷୀ ତାଙ୍କ ଅଧିକାର ପାଇଁ ଦୀର୍ଘ ସମୟରୁ ଏଠାରେ ବସିଛନ୍ତି। ହେଲେ ସେମାନଙ୍କ ଶକ୍ତି ଏବେବି କମ ହୋଇ ନାହିଁ। ଫୋଗାଟ କହିଛନ୍ତି ଯେ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରେ, କାରଣ ମୁଁ ଏକ ଚାଷୀ ପରିବାରରେ ଜନ୍ମ ହୋଇଛି। ଆପଣଙ୍କ ଝିଅ ଆପଣଙ୍କ ସହିତ ଛିଡା ହୋଇଛି ଆମକୁ ଆମ ଅଧିକାର ଲାଗି ଛିଡା ହେବାକୁ ହେବ, କାରଣ ଅନ୍ୟ କେହି ଆମ ଲାଗି ଆସିବେ ନାହିଁ। 

ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣମାନଙ୍କ ଦାବି ପୂରଣ ହେଉ ଓ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ଆପଣଙ୍କ ଅଧିକାର ନ ମିଳିଛ ସେ ପର୍ଯ୍ୟନ୍ତ ଫେରସ୍ତ ନ ଯାଆନ୍ତୁ।  ସ୍ୱର ଉତ୍ତୋଳନ କରିବା ସବୁ ବେଳେ ରାଜନୈତିକ ହୋଇ ନଥାଏ। ଆପଣଙ୍କୁ ଆମ କଥା ଶୁଣିବା ଦରକାର’ ବୋଲି ଭିନେଶ ଫୋଗାଟ କହିଛନ୍ତି। 

ଭିନେଶ ଫୋଗାଟ ଚାଷୀଙ୍କ ସମର୍ଥନରେ ସରକାରଙ୍କୁ ଅପିଲ କରିଛନ୍ତି। କହିଛନ୍ତି ‘ଚାଷୀ ସେମାନଙ୍କ ଅଧିକାର ପାଇଁ ୨୦୦ ଦିନ ହେଲା ଏଠାରେ ବସିଛନ୍ତି ଓ ମୁଁ ସରକାରଙ୍କ ନିକଟରେ ନିବେଦନ କରୁଛି ସେମାନଙ୍କ ଦାବି ପୂରଣ କରାଯାଉ’। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଯେ ୨୦୦ ଦିନ ହେଲା ସେମାନଙ୍କୁ ଶୁଣା ଯାଇ ନାହିଁ। ସେମାନଙ୍କୁ ଦେଖି ଆମକୁ ଆମ ଅଧିକାର ଲାଗି ଲଢିବା ପାଇଁ ଶକ୍ତି ମିଳିଛି। ଏହି ଅବସରରେ କୃଷକ ନେତା ସରବନ ସିଂହ ପନ୍ଧେର ଆନ୍ଦୋଳନର ପ୍ରଗତିକୁ ନେଇ ଜୋର ଦେଇ କହିଛନ୍ତି ଯେ ଏହା ଶାନ୍ତିପୂର୍ଣ୍ଣ ଉପାୟରେ ହେଲେ ମଧ୍ୟ ବେଶ୍ ତୀବ୍ରତାର ସହ ଚାଲିଛି। ପନ୍ଧେର କହିଛନ୍ତି ଯେ ଆନ୍ଦୋଳକୁ ୨୦୦ ଦିନ ପୁରଣ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ। ଏହା ଚାଷୀଙ୍କ ଦୃଢ ସଂକଳ୍ପକୁ ଦର୍ଶାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.