ମୁମ୍ଵାଇ ୦୧।୧୨: ଶୀତଦିନ ଆରମ୍ଭ ହେବା ସହ ଜୀବନଶୈଳୀରେ ହଠାତ୍ ପରିବର୍ତ୍ତନ ଆସିଥାଏ । ଋତୁ ଅନୁସାରେ ଆମର ଖାଦ୍ୟପାନୀୟ ଏପରିକି ପୋଷାକପତ୍ର ମଧ୍ୟ ବଦଳିଥାଏ । ଏହି ପରିବର୍ତ୍ତନ ସହ ବହୁ ଲୋକ ନିରାଶ ବା ଉଦାସୀନତାର ଶିକାର ହୋଇଥାନ୍ତି । ଏହା ଋତୁକାଳୀନ ଅବସାଦର ଅନ୍ୟତମ ଲକ୍ଷଣ । ଶୀତଋତୁ କିଛି ଲୋକଙ୍କର ଖୁବ୍ ପସନ୍ଦ । କାରଣ ସେମାନେ ଥଣ୍ଡାକୁ ବେଶ୍ ଉପଭୋଗ କରିଥାନ୍ତି । ବଦଳୁଥିବା ଖାଦ୍ୟପାନୀୟ ଓ ପୋଷାକପତ୍ର ଏମାନଙ୍କୁ ଖୁବ୍ ଆନନ୍ଦ ଦେଇଥାଏ । କିନ୍ତୁ ଏହା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ, ଯାହା ମାନସିକ ସ୍ୱାସ୍ଥ୍ୟକୁ ଖୁବ୍ ବିଗାଡ଼ି ଦେଇଥାଏ । ଫଳରେ କିଛି ଲୋକ ଶକ୍ତିହୀନ ଅନୁଭବ କରିବା ସହ ଉଦାସ ହୋଇପଡିଥାନ୍ତି । ପ୍ରାୟ ଲୋକଙ୍କଠାରେ ଉଦାସ ମନୋଭାବ ଜାତ ହେବା ସହ ମୁଡ୍ସୁଇଂ ଦେଖା ଦେଇଥାଏ। ଫଳରେ ଅବସାଦର ଶିକାର ହୋଇଥାନ୍ତି । ଚାଲନ୍ତୁ ଜାଣିବା କେମିତି ନିୟନ୍ତ୍ରିତ କରିପାରିବା ଏହି ଶୀତକାଳୀନ ଅବସାଦକୁ ।
ଶରୀରକୁ ସକ୍ରିୟ ରଖନ୍ତୁ
ଥଣ୍ଡାଦିନେ ପ୍ରାୟଲୋକ କମ୍ବଳ ବା ରେଜେଇ ତଳୁ ବାହାରିବାକୁ ପସନ୍ଦ କରି ନଥାନ୍ତି । ଫଳରେ ଅଳସୁଆ ଅନୁଭବ କରିଥାନ୍ତି । ସେଥିପାଇଁ ଯଥାସମ୍ଭବ ନିଜକୁ ଶାରିରୀକ ଓ ମାନସିକ ଭାବେ ସକ୍ରିୟ ରଖିବା ଜରୁରି । ନିୟମିତ ବ୍ୟାୟାମ କରିବା ଦ୍ୱାରା ହାପି ହର୍ମୋନ୍ କ୍ଷରଣ ହୋଇଥାଏ, ଯାହା ଶୀତଦିନିଆ ଅବସାଦକୁ କମାଇଥାଏ ।
ଅଭ୍ୟାସ ବଦଳାନ୍ତୁ
ଶୀତଦିନିଆ ଅବସାଦରୁ ମୁକ୍ତି ପାଇବା ପାଇଁ ନକାରାତ୍ମକ ଅଭ୍ୟାସଠାରୁ ଦୂରେଇ ସକାରାତ୍ମକ ହେବାକୁ ପ୍ରୟାସ କରନ୍ତୁ । ନିଜର ଯତ୍ନ ନିଅନ୍ତୁ । ଏହା ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ଅବସାଦଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ସୋସିଆଲ୍ ମିଡିଆଠାରୁ ଦୂରେଇ ରହିବା ସହ ପୋଷକତତ୍ତ୍ୱରେ ଭରା ଖାଦ୍ୟକୁ ଡାଏଟ୍ରେ ସାମିଲ୍ କରିବା ଉଚିତ୍ ।
ସାମାଜିକ ସମ୍ପର୍କ ଯୋଡ଼ନ୍ତୁ
ଥଣ୍ଡାଦିନେ ଏକାକୀ ସମୟ ବିତାଇବା ଦ୍ୱାରା ଉଦାସ ଲାଗିଥାଏ । ସେଥିପାଇଁ ଏହି ସମୟରେ ଏକାକୀ ରହିବା ପରିବର୍ତ୍ତେ ପରିବାର ଓ ସାମାଜିକ ସମ୍ପର୍କକୁ ଗୁରୁତ୍ୱ ଦେବା ଉଚିତ୍ । ନିଜ ସାଙ୍ଗସାଥୀ ଓ ସହଯୋଗୀଙ୍କ ସହ ମିଶି କିଛି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ସାଙ୍ଗ ହୋଇ ଜୀବନ ବିତାଇବା ଦ୍ୱାରା ଏହି ଅବସାଦ ଦୂର ହୋଇଥାଏ ।
କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ
ଶୀତଦିନେ କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସିବା ଆବଶ୍ୟକ ।ସୂର୍ଯ୍ୟକିରଣ ଭିଟାମିନ୍-ଡି’ର ପ୍ରମୁଖ ସ୍ରୋତ । ସୂର୍ଯ୍ୟକିରଣରେ ବସିବା ଦ୍ୱାରା ମସ୍ତିଷ୍କରେ ସୋରୋଟେନିନ୍ ନାମକ ହର୍ମୋନ୍ କ୍ଷରଣ ହୋଇଥାଏ, ଯାହା ମୁଡ୍କୁ ଭଲକରିବା ସହ ଚିନ୍ତାକୁ କମ୍ କରିଥାଏ ।
wp:embed {"url":"https://www.prameyanews7.com/why-world-aids-day-is-celebrated-on-1st-december/","type":"wp-embed","providerNameSlug":"prameya-news-7"} /wp:embed