ଗତ ୫ ବର୍ଷ ଧରି ସହିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଲେ ପଡ଼ୋଶୀ, ଗାଡ଼ି ଅଟକାଇ ଜୋର୍ରେ ତାଗିଦ୍ କଲେ
28/07/2023 at 4:18 PM

ବେଙ୍ଗୁଲୁରୁ: ପାର୍କିଂ ସମସ୍ୟାରେ ଅତିଷ୍ଟ ହୋଇ ରାଗିଲେ ମୁଖ୍ୟମନ୍ତ୍ରୀଙ୍କ ପଡ଼ୋଶୀ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ ଅଟକାଇ ଜୋର୍ରେ ତାଗିଦ କଲେ। ଶୁକ୍ରବାର ସକାଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ପଡ଼ୋଶୀଙ୍କ ଠାରୁ ଏଭଳି ତାଗିଦ୍ ଶୁଣିବାକୁ ମିଳିଛି।
ସିଦ୍ଦରମେୟାଙ୍କୁ ରାଗରେ ତାଗିଦ କରିଥିବା ବ୍ୟକ୍ତି ହେଲେ ବୟସ୍କ ବ୍ୟକ୍ତି ନରୋତ୍ତମ। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଘର ସାମ୍ନାପଟ ଘରେ ରହୁଛନ୍ତି ନରୋତ୍ତମ। ସିଦ୍ଦରମେୟାଙ୍କୁ ଭେଟିବାକୁ ସବୁଦିନ ଅନେକ ଲୋକ ଆସନ୍ତି। ଏମାନେ ପଡ଼ୋଶୀଙ୍କ ଘର ସାମ୍ନାରେ ନିଜ ନିଜ ଗାଡ଼ି ପାର୍କିଂ କରନ୍ତି। ଫଳରେ ପଡ଼ୋଶୀମାନେ ନିଜ ଗାଡ଼ି ବାହାର କରିପାରନ୍ତି ନାହିଁ। ଦୀର୍ଘ ୫ ବର୍ଷ ହେଲା ପଡ଼ୋଶୀମାନେ ଏହି ସମସ୍ୟା ଭୋଗୁଛନ୍ତି।
ଏଥିରେ ଅତିଷ୍ଟ ହୋଇ ଶୁକ୍ରବାର ନରୋତ୍ତମ ନାମକ ଜଣେ ବୟସ୍କ ବ୍ୟକ୍ତି ସିଦ୍ଦରମେୟାଙ୍କ ଗାଡ଼ି ଅଟକାଇ ତାଙ୍କୁ ତାଗିଦ କରିଛନ୍ତି। ରାଗରେ ନରୋତ୍ତମ କହୁଛନ୍ତି ” ଗତ ୫ ବର୍ଷ ହେଲା କ’ଣ ସବୁ ବେକାର ଚାଲିଛି ? ଆମେ ଅତିଷ୍ଟ ହୋଇଗଲୁଣି ।”
ପଢ଼ନ୍ତୁ-କୋଭିଡ୍ ପରବର୍ତ୍ତୀ ସ୍ଥିତି ସଂଘାତିକ; ଯୁବପୀଢିଙ୍କୁ ଘାରିଛି କ୍ୟାରିୟର ଚିନ୍ତା, ସରକାରୀ ଚାକିରିକୁ ପ୍ରାଥମିକତା
ଘଟଣାକୁ ନେଇ ନରୋତ୍ତମ ପ୍ରଥଣେ ସୁରକ୍ଷା କର୍ମୀ ଓ ପୁଲିସ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗରେ ଛିଡ଼ା ହୋଇଯାଇଥିଲେ। ପାଟି ଦେଖି ସିଦ୍ଧରମେୟା ତାଙ୍କ ଅଭିଯୋଗ ଶୁଣିବା ପାଇଁ କାଚ ତଳକୁ କରିବାରୁ ନରୋତ୍ତମ ତାଙ୍କୁ ତାଗିଦ କରିବା ସହିତ ଅତିଷ୍ଟ ହୋଇଗଲୁଣି ବୋଲି କହିତିଲେ। ସିଦ୍ଦରମେୟା ସମସ୍ୟା ଶୁଣିବା ପରେ ସୁରକ୍ଷା କର୍ମୀଙ୍କୁ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେଠାରୁ କାର୍ ନେଇ ଚାଲିଯାଇଥିଲେ।