ଘାରିଲା ଗିରଫଦାରୀ ଭୟ, କଟକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ
26/06/2023 at 9:36 PM

କଟକ: ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ କଲେ ଆବେଦନ। ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ବିହାରର ପ୍ରଲୋଭନ ଦେଖାଇ ଏବଂ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା, ନିର୍ଯାତନା ଦେବା ଓ ଶୋଷଣ କରିବା କଣ୍ଠଶିଳ୍ପୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ପରଠୁ ପୋଲିସ ପକ୍ଷରୁ ସୌରିନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଛି। ସୌରିନଙ୍କ ସହ ଅଭିଯୋଗକାରିଣୀ ଯୁବତୀଙ୍କ ସମ୍ପର୍କ ଥିବା ଖବର ପରିବାର ଲୋକ ଆଗରୁ ଜାଣିଥିଲେ ।

ଉଲ୍ଲେଖନୀୟ ବଲିଉଡ୍ ଗାୟକ ସୌରିନ୍ ଭଟ୍ଟଙ୍କୁ ଗିରଫ କରିବା ପାଇଁ କଲିକତା ଯାଇଥିବା ମହିଳା ଥାନାର ସ୍ଵତନ୍ତ୍ର ଟିମ୍ ଜୁନ ୨୩ରେ ଖାଲି ହାତରେ କଟକ ଫେରିଥିଲେ । ଯେତେବେଳେ ସ୍ଵତନ୍ତ୍ର ଟିମ୍ ସୌରିନ୍ଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଥାନା ସହଯୋଗରେ ତାଙ୍କ ଘରେ ଚଢ଼ାଉ କରିଥିଲା ସେତେବେଳେ ସେ ଫେରାର ହୋଇଯାଇଥିଲେ । ପ୍ରୋଗ୍ରାମ କରିବା ପାଇଁ କେଉଁଠାକୁ ସେ ଯାଇଛନ୍ତି ବୋଲି ପରିବାର ଲୋକେ ପୋଲିସକୁ କହିଥିଲେ । ୭ ଦିନ ମଧ୍ୟରେ ସୌରିନଙ୍କୁ ଆଣି ପୋଲିସ ନିକଟରେ ହାଜର କରାଇବେ ବୋଲି ବାପା ପୋଲିସକୁ ପ୍ରତିଶ୍ରୁତି ଦେଇଥିଲେ।
ଏ ଖବର ପଢନ୍ତୁ- କୁଆଡେ ଗଲେ ସୌରୀନ ଭଟ୍ଟ, ଗିରଫ ଭୟରେ ବାସଭବନରୁ ମାରିଲେ ଫେରାର୍
ଏହା ପୂର୍ବରୁ ଜୁନ ୧୩ରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ୧୬୪ରେ ବୟାନ ରେକର୍ଡ କରାଯାଇଥିଲା। ସୌରିନଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା । ଆଇପିସିର ୩୭୬, ୪୯୩, ୩୪୧, ୫୦୬, ୪୧୭ ଦଫା ଲାଗିଛି। ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି ପୋଲିସ ଅଧିକାରୀ କହିଥିଲେ। ଚଳିତ ମାସ ୧୨ ତାରିଖରେ ଯୁବତୀ ଜଣଙ୍କ ସୌରିନଙ୍କ ବିରୋଧରେ ପ୍ରେମ ପ୍ରତାରଣାର ଅଭିଯୋଗ ଆଣିଥିଲେ।

ଯୁବତୀ ଅଭିଯୋଗ କରିଥିଲେ, ୨୦୧୫ରେ ଚିହ୍ନା ପରିଚୟ ହୋଇଥିଲା। ତା ପରେ ସୌରିନ୍ ବିବାହିତ ବୋଲି ଜାଣିଲା ପରେ ଯୁବତୀ ଦୂରେଇ ବାକୁ ଚାହିଁଥିଲେ। ହେଲେ ସୌରିନ ବିବାହ ପ୍ରତିଶ୍ରୁତି ଦେଇ ପୁଣି ଆଗକୁ ସମ୍ପର୍କ ବଢାଇ ଥିଲେ। ଏହା ସହ ଆର୍ଥିକ ଠକେଇ କରାଯାଇଥିବାର ଅଭିଯୋଗ କରିଥିଲେ ଯୁବତୀ।