ବଢିପାରେ ବାଇଡେନଙ୍କ ପାଇଁ ଅଡୁଆ, ଗୁପ୍ତ ଦସ୍ତାବିଜ ଖୋଜିବା ପାଇଁ ଡେଲାୱେର ବିଶ୍ୱବିଦ୍ୟାଳୟରେ FBI ଟିମ୍

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ କମ ହେବାର ନାଁ ଧରୁ ନାହିଁ । ଗୁପ୍ତ ଦସ୍ତାବିଜ ଖୋଜିବା ପାଇଁ ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇ ଲଗାତାର ବିଭିନ୍ନ ସ୍ଥାନରେ ଚଢଉ କରୁଛି । ସଦ୍ୟତମ ରିପୋର୍ଟ ଅନୁସାରେ ଏଫବିଆଇ ଡେଲାୱେର ବିଶ୍ୱବିଦ୍ୟାଳୟରେ ପହଞ୍ଚି ଦୁଇଟି ସ୍ଥାନରେ ଯାଞ୍ଚ କରିଛି । ଚଢଉ ସମୟରେ ଏଫବିଆଇ ହାତରେ କଣ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେଲାୱେର ସ୍ଥିତ ବାସଭବନ ଏବଂ ୱାଶିଂଟନ ଅଫିସରେ ଆମେରିକା ନ୍ୟାୟ ବିଭାଗ ଚଢଉ କରିଥିଲା । ବାଇଡେନ ଉପରାଷ୍ଟ୍ରପତି ଥିବା ସମୟରେ ଗୋପନୀୟ ଦସ୍ତାବିଜ ଗୁଡିକୁ ନିଜ ଘରେ ଏବଂ ଅଫିସରେ ଲୁଚାଇ ରଖିଥିବା ଅଭିଯୋଗ ରହିଛି ।

ନବେମ୍ୱର ୨ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେଲାୱେର ସ୍ଥିତ ଘର ଏବଂ ୱାଶିଂଟନ ଅଫିସରେ ଆମେରିକାୟ ନ୍ୟାୟ ବିଭାଗ ଚଢଉ କରିଥିଲା । ସେହି ସମୟରେ ତାଙ୍କ ଘରୁ ଏବଂ ଅଫିସରୁ ୮ ବର୍ଷ ପୁରୁଣା ଗୁପ୍ତ ଦସ୍ତାବିଜର ୨୦ ସେଟ୍ ମିଳିଥିଲା । ଏହାପରେ ପୁଣି ଜାନୁଆରୀ ୨୦ରେ ନ୍ୟାୟ ବିଭାଗ ବାଇଡେନଙ୍କ ଡେଲାୱେର ସ୍ଥିତ ଘରେ ଚଢଉ କରିଥିଲା । ୧୩ ଘଣ୍ଟାର ଛାନଭିନରେ ୬ ଅତିରିକ୍ତ ଗୋପନୀୟ ଦସ୍ତାବିଜ ମିଳିଥିଲା । ରିପୋର୍ଟ ଅନୁସାରେ ଛାନଭିନ ସମୟରେ ବାଇଡେନ ଏବଂ ତାଙ୍କ ପତ୍ନୀ ଘରେ ନଥିଲେ ।

ଆମେରିକାର କିଛି ମିଡିଆ ରିପୋର୍ଟ ଦାବି କରାଯାଉଛି ଯେ ପ୍ରଥମ ୧୦ ଫାଇଲର ସେଟ୍‌ରେ ୟୁକ୍ରେନ, ଇରାନ ଏବଂ ବ୍ରିଟେନ ସହ ଜଡିତ କିଛି ଗୁଇନ୍ଦା ସୂଚନା ଥିଲା । ଏହି ଫାଇଲ ଗୁଡିକ ବାଇଡେନ ଆମେରିକାର ଉପରାଷ୍ଟ୍ରପତି ଥିବା ସମୟର ବୋଲି କୁହାଯାଉଛି । ଏହି ଗୁପ୍ତ ଦସ୍ତାବିଜ ଗୁଡିକ ମଧ୍ୟରେ ୨୦୧୫ରେ ବାଇଡେନଙ୍କ ପୁଇ ବିୟୁ ବାଇଡେନଙ୍କ ମୃତ୍ୟୁର ସୂଚନା ମଧ୍ୟ ଥିବା ଦାବି କରାଯାଉଛି ।  

ଗୁପ୍ତ ଦସ୍ତାବିଜ ଗୁଡିକ ମିଳିବା ପରେ ଶୀର୍ଷ ସ୍ତରରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଦସ୍ତାବିଜର ଦ୍ୱିତୀୟ ସେଟ୍‌ର କଣ ରହିଛି ସେ ବିଷୟରେ କାହାରି ପାଖରେ ସୂଚନା ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.