ଫାଟିଗଲା ଟ୍ରକ୍ ଆଗ ଚକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | January 16, 2022 IST

ଦେବଗଡ ୧୬/୦୧: ଦେବଗଡ ଥାନା ତଥା ତିଳେଇବଣି ବ୍ଲକ୍‌ ଅନ୍ତର୍ଗତ ରାଂଚି-ବିଜୟୱାଡା ସୁପର୍‌ କରିଡର୍‌ ରାସ୍ତାର ଶ୍ରୀନିବାସପୁର ଗାଁରେ ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଆଗଚକ ଫାଟି ଖସିଥିବା ବେଳେ ସମ୍ପୃକ୍ତ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଏବେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଟ୍ରକ ଡ୍ରାଇଭର ଜଣକ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସୁଗୁଡା ଓ ଛେପିଲିପାଲି ପଞ୍ଚାୟତର ଡ୍ରାଇଭର ସଂଘ ସଦସ୍ୟ ପହଞ୍ଚି ତାଙ୍କୁ ସାହାଯ୍ୟ କରିଥିବା ସୂଚନା ରହିଛି ।

ସୂଚନା ଅନୁସାରେ ଶନିବାର ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ(ନଂ-ଓଡି-୩୫-ଡି-୧୧୭୭) ତାଳଚେର ହିଙ୍ଗୁଳା ଖଣିରୁ ପଥର କୋଇଲା ଲୋଡ କରି ରାଂଚି ବିଜୟୱାଡା ସୁପର୍‌ କରିଡର୍‌ ରାସ୍ତାରେ ଝାରସୁଗୁଡା ବେଦାନ୍ତ ଅଭିମୁଖେ ଆସୁଥିଲା । ତେବେ ଶ୍ରୀନିବାସପୁର ଗାଁ ନିକଟ ଏକ ବୁଲାଣିରେ ଆଗଚକ ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ପଶି ଯାଇଥିଲା । ଫଳରେ ଉକ୍ତ ଅଂଚଳରେ ଏବେ ହାତୀ ଚଳାଚଳ କରୁଥିବାରୁ ଦୁର୍ଘଟଣାରୁ ବର୍ତି ଯାଇଥିବା ସମ୍ପୃକ୍ତ ଡ୍ରାଇଭର ରଞ୍ଜନ ଦାସ(୩୨) ଭୟଭୀତ ଅବସ୍ଥାରେ କେବିନ୍‌ ଭିତରେ ଫସି ରହିଥିଲେ । ତେବେ ସେହି ସମୟରେ ଉକ୍ତ ରାସ୍ତାରେ ଗାଡି ନେଇ ଯାଉଥିବା ବଣିଆଁକିଲିଣ୍ଡା ଗାଁର ଗୌତମ ନାଏକ ଖବର ଦେଲାରୁ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ସହଯୋଗ କରିବାସହ ଟ୍ରକ୍‌ ରାସ୍ତା ଉପରକୁ ବାହାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.