ପୋଲିସ ଜିପ୍‌ରୁ ଓହ୍ଲାଇବା ବେଳେ ଗଣଦୁଷ୍କର୍ମ ପୀଡିତାଙ୍କ ବାପାଙ୍କୁ ଚାପିଦେଲା ଟ୍ରକ୍: ମୁଖ୍ୟ ଅଭିଯୁକ୍ତ କନେଷ୍ଟବଳଙ୍କ ପୁଅ ଗିରଫ୍

Published By : Prameya-News7 Bureau | March 10, 2021 IST

କାନପୁର ୧୦/୦୩ : ଉତ୍ତର ପ୍ରଦେଶ କାନପୁରର ଏକ ଗାଁରେ ଗଣଦୁଷ୍କର୍ମ ଶିକାର ଯୁବତୀଙ୍କ ପିତାକୁ ପୋଲିସ ଓ ପୀଡିତଙ୍କ ସମ୍ମୁଖରେ ଏକ ଟ୍ରକ ଚାପିଦେଲେ। ଆହତ ପିତାଙ୍କୁ ତୁରନ୍ତ ଘାଟମପୁର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ଘଟଣା ପରେ ପୀଡିତା ଓ ତାଙ୍କ ପିତାଙ୍କ ମୃତଦେହ ନେଇ ଜିଲ୍ଲା ମୁଖ୍ୟାଳୟ ଆସିଥିଲା। ମୃତଦେହକୁ ଶବଗୃହରେ ରଖାଯାଇଛି। ପୋଲିସ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ କନେଷ୍ଟବଳଙ୍କ ପୁଅକୁ ଗିରଫ କରିଛି। କନେଷ୍ଟବଳ ବାନ୍ଦ୍ରାରେ କାର୍ଯ୍ୟରତ।

ସଜେତି ଅଞ୍ଚଳର ଯୁବତୀଙ୍କ ସହ ସୋମବାର ରାତିରେ କନେଷ୍ଟବଳ ଦେବେନ୍ଦ୍ର ଯାଦବଙ୍କ ପୁଅ ଦିପୁ ଯାଦବ ନିଜ ସାଙ୍ଗ ଗୋଲୁ ଯାଦବ ସହ  ଦୁଷ୍କର୍ମ କରିଥିଲା। ମଙ୍ଗଳବାର ସକାଳେ ପୀଡିତାଙ୍କ ପରିବାର ଥାନାକୁ ଯିବା ବାଟରେ କନେଷ୍ଟବଳଙ୍କ ବଡ ପୁଅ ତାଙ୍କୁ ଘେରି ପକାଇଥିଲା ଓ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। କୌଣସି ପ୍ରକାରେ ପୀଡିତା ଥାନାରେ ପହଞ୍ଚିଥିଲେ। ପୋଲିସ ଦିନ ସାରା ପଞ୍ଚାୟତ ବସାଇଥିଲା ଓ ସନ୍ଧ୍ୟା ୬ଟା ରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା।

ରାତି ୧୨ଟା ରେ ପୋଲିସ ଯୁବତୀଙ୍କ ମେଡିକାଲ ଯାଞ୍ଚ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ନେଇଯାଇଥିଲା। ପୋଲିସ ସହ ପୀଡିତାଙ୍କ ପିତା ବି ଥିଲେ। ରାତି ୨ଟା ରେ ପୀଡିତାଙ୍କ ମେଡିକାଲ ଯାଞ୍ଚ ହୋଇଥିଲା। ତାପରେ ପୋଲିସ ପୀଡିତା ଓ ତାଙ୍କ ପିତାକୁ ନେଇ ସଜେତି ଥାନାରେ ପହଞ୍ଚିଥିଲା। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବୁଧବାର ସକାଳୁ ସିଓ ଓ ଇନ୍ସପେକ୍ଟର ସଜେତି ଥାନାରେ ପହଞ୍ଚିଥିଲେ। ଦୁହିଁଙ୍କୁ ଗାଡିରେ ବସାଇ ଘାଟମପୁର ଚାଲିଯାଇଥିଲା। ଥାନାକୁ ନେବା ବଦଳରେ ଘାଟମପୁର ସିଏଚସି ଯାଇଥିଲା। ସିଏଚସି ଯିବା କାରଣ କଣ ତାହା ସ୍ପଷ୍ଟ ହୋଇନି। ମୁଗଲ ରୋଡ଼ ସ୍ଥିତ ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ର ଘାଟମପୁର ସାମ୍ନାରେ ପୋଲିସ ଜିପରୁ ଓହ୍ଲାଇବା କ୍ଷଣି ଏକ ଟ୍ରକ ଆସି ପୀଡିତାଙ୍କ ପିତାକୁ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୀଡିତାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଥିଲେ। କାନପୁର-ସାଗର ରାଜପଥ ଆନପୁର ରୋଡ଼ରେ ଲୋକେ ଜମା ହୋଇଥିଲେ। ପାଖାପାଖି ୫ କିଲୋମିଟର ଯାଏଁ ଲୋକଙ୍କ ଭିଡ ଜମିଥିଲା। ସିଓ ଓ ଘାଟମପୁର ଏସଓ ପୀଡିତା ପରିବାରକୁ ଧମକିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ପିତାକୁ ଟ୍ରକ ଆଗକୁ ଧକ୍କା ଦିଆଯାଇଥିବା ସନ୍ଦେହ କରାଯାଉଛି।

ଏସପି ବିରାଜେଶ ଶ୍ରୀବାସ୍ତବ କହିଛନ୍ତି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତକୁ ପୋଲିସ ଟିମ ଖୋଜୁଛି। ଖୁବ ଶୀଘ୍ର ତାକୁ ବି ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.