ନିର୍ଦ୍ଦୟ ବାପ : ଜଣେ ପୁଅ ପିଠିରେ ଲେଖିଲା ‘ଗଧ’, ଅନ୍ୟ ଜଣଙ୍କ ନିର୍ଯାତନାରେ ଘର ଛାଡିଛି ନାବାଳିକା ଝିଅ
12/02/2020 at 11:26 AM

ତେଲକୋଇ। ଯାଜପୁର ୧୨।୨: ପାଠ ନପଢିବାରୁ ପୁଅକୁ ଅକଥନୀୟ ଅତ୍ୟାଚାର । ନିଷ୍ଠର ପାଲଟିଲେ ବାପା ମା’ । ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡିରେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଦୀପ୍ତିମୟୀ ମଢେଇ, ପୁଅ ସୌମ୍ୟ ରଞ୍ଜନଙ୍କ ସହ ସରକାରୀ କ୍ବାଟର୍ସରେ ରୁହନ୍ତି । ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି କରନ୍ତି । ସେ ଛୁଟିରେ ଘରକୁ ଆସିଥିଲେ । ସୌମ୍ୟରଞ୍ଜନ ତେଲକୋଇରେ ଥିବା ଏକ ଘରୋଇ ଇଂରାଜୀ ସ୍କୁଲରେ ଷ୍ଟଣ୍ଡାର୍ଡ ୧ରେ ପଢନ୍ତି ।
ସୋମବାର ସୌମ୍ୟ ସ୍କୁଲରେ ଏକ ଇଂରାଜୀ ଶବ୍ଦର ସ୍ପେଲିଂ ଭୁଲ୍ କରିଦେଇଥିବାରୁ ବାପା ଅଶ୍ବିନୀ କୁମାର ପୁଅକୁ ବାଡିରେ ନିର୍ଦ୍ଧୁମ ପିଟିଥିଲେ । ପୁଅକୁ ପିଟି ପିଟି ତାର ନୋଳା ଫଟାଇ ଦେଇଥିଲେ । ଏତିକିରେ ମନ ବୁଝିନଥିଲା ଯେ ପୁଅର ପିଠିସାରା ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଥିଲେ । ପୁଅ ଅତ୍ୟାଚାରରେ ଭୟଭୀତ ହୋଇ କାନ୍ଦି କାନ୍ଦି ଘରଠାରୁ ପ୍ରାୟ ୧ କି.ମି. ଚାଲିଚାଲି ଆସି ବଜାରରେ ପହଞ୍ଚିଥିଲା । ସ୍ଥାନୀୟ ପୋଲିସ ଖବର ପାଇ ଶିଶୁକୁ ଉଦ୍ଧାର କରିଥିଲା । ପୋଲିସ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ନିଜ ଆଡୁ ମାମଲା ରୁଜୁ କରିଛି । ଘଟଣାରେ ଶିଶୁର ବାପାଙ୍କୁ ଗିରଫ କରାଯାଇଛି ।
ଅନ୍ୟପଟେ ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଗାଁରେ ନାବାଳିକା ଝିଅକୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ବାପାକୁ ୨୭/୨୦ରେ ଦଫା ୩୪୧, ୨୯୪, ୩୨୩, ୩୫୪ (ଖ), ୫୦୬ ତଥା ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରିଛି ।
ମର୍ଜିତାପୁର ଗାଁର ନାଥ ନାମକ ବ୍ୟକ୍ତି ତାଙ୍କ ଝିଅଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ବିନୋଦ ପ୍ରଚୁର ମଦ୍ୟପାନ କରି ଘରେ ସମସ୍ତଙ୍କୁ ଗାଳିଗୁଲଜ କରିଥାନ୍ତି । ନାବାଳିକା ଝିଅକୁ ଅନେକ ସମୟରେ ମାରପିଟ୍ କରିବା ସହ ଯୌନ ନିର୍ଯାତନା ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି । ଫଳରେ ତାଙ୍କ ଝିଅ ବାପାଙ୍କ ନିର୍ଯାତନା ସହି ନପାରି ମାଉସୀ ଘରେ ରହୁଥିବା ଜଣାପଡିଛି ।