ପାରିବାରିକ କଳହରୁ ବାପାକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ପୁଅ

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର ୨।୨: ବାପାକୁ କାଠ ଫାଳିଆରେ ପିଟି ମାରିଲା ପୁଅ । ପାରିବାରିକ କଳହକୁ ନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ସାହୁ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ବିଜୟ ସ୍ବାଇଁ ପରିବାର ସହ ଶୈଳଶ୍ରୀ ବିହାର ସାହୁବସ୍ତିରେ ରହୁଥିଲେ । ବାପା ବିଜୟ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ପୁଅ କୁନା ରୋଷେୟା ଭାବେ କାମ କରୁଥିଲା । ପ୍ରତିଦିନ କୁନା ଘରକୁ ନିଶାସକ୍ତ ଅବସ୍ଥାରେ ଫେରି ଅଶାନ୍ତି ସୃଷ୍ଟି କରୁଥିଲା । ଗତକାଲି ରାତିରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପାଟିତୁଣ୍ଡ କରିଥିଲା । ଏପରିକି ଶୋଇବା ଘରେ ବାନ୍ତି କରିଥିଲା । ବାପା ବିଜୟ ଓ ମା’ ମାନୁ ସ୍ବାଇଁ ତାଙ୍କୁ ବାରଣ କରିବା ସହ ବାହାରକୁ ଯିବାକୁ କହିଥିଲେ ।

ଏଥିରେ ସେ ଉତକ୍ଷିପ୍ତ ହୋଇ ବାପା-ମା’ଙ୍କୁ ଗାଳିଗୁଲଜ କରିଥିଲା କୁନା । ପରେ ବାପା-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲା । ଫଳରେ ବିଜୟଙ୍କ କାନମୁଣ୍ଡାରେ ଶକ୍ତ ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବରପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଅ କୁନା ଫେରାର ହେବା ପୂର୍ବରୁ ପୋଲିସ ତାକୁ ଗିରଫ କରିଛି । ସେହିପରି ଘଟଣାରେ ପୋଲିସ କୁନାର ମା’ ଓ ଉଉଣୀକୁ ଜେରା କରୁଛି ।

ଅପରପକ୍ଷରେ ଅଭିଯୁକ୍ତ କୁନାର ଭଉଣୀ ଘଟଣା ପଛରେ ମା’ ମାନୁର ହାତ ଥିବା ଅଭିଯୋଗ କରିଛି । ମାନୁ ହେଉଛି ସେମାନଙ୍କର ସାବତ ମା’ । ବାପା ସାବତ ମା’ର କଥାରେ ଭାଇ-ଭଉଣୀକୁ ନିର୍ଯାତନା ଦେଉଥିଲେ । ଏପରିକି ବିଜୟଙ୍କୁ ମଧ୍ୟ ମାନୁ ମାରଧର କରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି କୁନା ଘରକୁ ମଦ ପିଇ ଫେରିଥିବାର ସୁଯୋଗ ନେଇ ମା’ ବାପାକୁ ହତ୍ୟା କରି ତାଙ୍କ ଭାଇକୁ ଫସାଇ ଦେଇଥିବା ସେ କହିଛନ୍ତି । ଏନେଇ ମାନୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.