ଝିଅ ବାହାଘରର ଦିନକ ପୂର୍ବରୁ ଚାଲିଗଲା ବାପାର ଜୀବନ, ହୃଦଘାତରେ ସବୁଦିନ ପାଇଁ ବୁଜିଲେ ଆଖି

Published By : Prameya-News7 Bureau | December 10, 2020 IST

ଅନୁଗୁଳ,୧୦/୧୨:  ଏମିତି ବି ଆସେ ମୃତ୍ୟୁ । ବେଦି ତିଆରି ସରିଥିଲା । ଘରକୁ କୁଣିଆ ଆସି ସାରିଥିଲେ । ଦିନକ ପରେ ବିବାହ ପାଇଁ ବନ୍ଧୁବାନ୍ଧବଙ୍କୁ ଧରି ସପରିବାର ଯାଇଥାନ୍ତେ ସୁଦୂର ରାଉରକେଲା । କିନ୍ତୁ ବିଦ୍ଧିର ବିଧାନ ଥିଲା କିଛି ଅଲଗା ।  ଦିନକ ପୂର୍ବରୁ ହୃଦ୍‌ଘାତରେ ଚାଲିଗଲେ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ଅନୁଗୁଳରେ ।

ସୂଚନାନୁସାରେ, ବୁଧବାର ସକାଳେ ଅନୁଗୁଳର ଜଣେ ବ୍ୟବସାୟୀ ସଜ୍ଜନ ତୁଲସୀୟାନଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ସକାଳେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ରାଉରକେଲାରେ ସ୍ୱର୍ଗତ ତୁଲସିୟାନ୍‌ ଝିଅ ବାହାଘର ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିଲା। ମଙ୍ଗଳବାର ମେହେନ୍ଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିବାର ସମେତ ନିକଟ ସମ୍ପର୍କୀୟ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିବା ବେଳେ ସ୍ୱର୍ଗତ ତୁଲସୀୟାନ୍‌ ଅଶ୍ୱସ୍ତିକର ଅନୁଭବ କରିଥିଲେ । ସେ ରାତିରେ ବିଶ୍ରାମ ନେଇଥିଲେ । ବୁଧବାର ଅପରାହ୍ଣରେ ପରିବାର ଓ ବନ୍ଧୁବାନ୍ଧବ ରାଉରକେଲା ଅଭିମୁଖେ ଗସ୍ତ କରିଥାନ୍ତେ। କିନ୍ତୁ ପରିବାର ଲୋକ ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ସକାଳେ ହଠାତ୍‌ ବାପା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସଜ୍ଜନଙ୍କ ପରଲୋକ ଖବର ପାଇବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.