ଝିଅ ବାହାଘର ଦିନେ ପୂର୍ବରୁ ୭ ଫେରା ନେଲେ ଲିଭିଇନରେ ରହୁଥିବା ବାପା ମା’
16/06/2019 at 7:17 PM

କଥାରେ ଅଛି କନ୍ୟାଦାନ ମହାପୂଣ୍ୟ । ଆମ ସମାଜରେ କନ୍ୟାଦାନ କରିବା ପିତା ମାତାଙ୍କ ସବୁଠାରୁ ବଡ ପୁଣ୍ୟ ବୋଲି ବିଶ୍ୱାସ କରାଯାଏ । ଏହି ପୁଣ୍ୟ ପ୍ରାପ୍ତି ପାଇଁ ମଧ୍ୟପ୍ରଦେଶରେ ଏକ ଦମ୍ପତ୍ତି ଝିଅ ବାହାଘର ଠିକ ଗୋଟିଏ ଦିନ ପୂର୍ବରୁ ବିବାହ କରିଛନ୍ତି । ଉଭୟ ଲିଭିଇନରେ ରହୁଥିଲେ । ତେବେ ବିବାହ ନକଲେ କନ୍ୟାଦାନ କରିପାରିବେ ନାହିଁ ବୋଲି ଝିଅ ବାହାଘର ଦିନେ ପୂର୍ବରୁ ଦୁହେଁ ବାହା ହୋଇଛନ୍ତି ।

ମଧ୍ୟପ୍ରଦେଶ ଅଶୋକନଗରରେ ୫୫ ବର୍ଷ ବୟସ୍କ ପିତା ୫୦ ବର୍ଷ ବୟସ୍କା ଲିଭିଇନ ପାର୍ଟନର ସହ ରହୁଥିଲେ । ଝିଅର କନ୍ୟାଦାନରେ ଯେଭଳି କୌଣସି ବାଧା ନ ଉପୁଜେ ସେଥିପାଇଁ ସେ ନିଜ ପାର୍ଟନରଙ୍କୁ ବିବାହ କରିଥିଲେ । ପିତା ମାତାଙ୍କ ବିବାହର ପରବର୍ତ୍ତୀ ଦିନ ଝିଅ ବାହାଘର ହୋଇଛି ।

ଝିଅ ବାହାଘର ପୂର୍ବରୁ ମାତା ପିତାଙ୍କ ବାହାଘରର ପାଇଁ ସାକ୍ଷୀ ରହିଲେ ପୁରା ଗାଁ । ୫୫ ବର୍ଷ ବୟସ୍କ ପରମାଲ ସିଂହ ଲୋଧି ବରଯାତ୍ରୀ ନେଇ ନିଜର ୫୦ ବର୍ଷ ବୟସ୍କା ଲିଭିଇନ ପାର୍ଟନରଙ୍କୁ ନେବା ପାଇଁ ଯାଇଥିଲେ । ପୁରା ଧୂମଧାମରେ ଉଭୟଙ୍କ ବାହାଘର ସମ୍ପନ୍ନ ହେଲା । ଉଭୟ ପାଖାପାଖି ୨୫ ବର୍ଷ ହେଲା ଲିଭିଇନରେ ରହୁଥିଲେ । ପରମାଲ ସିଂହଙ୍କର ୪ ପୁଅଝିଅ, ୨ଝିଅ ଓ ୨ ପୁଅ । ପରମାଲ ସିଂହଙ୍କ ସବୁଠାରୁ ବଡ ଝିଅ କଲ୍ଲୋଙ୍କ ବୟସ ୧୮ ବର୍ଷ ଏବଂ ସବୁଠାରୁ ସାନ ପୁଅର ବୟସ ୧୦ ବର୍ଷ ।

ବାପା ମାଙ୍କ ବାହାଘର ପରେ ବଡ ଝିଅ କଲ୍ଲୋର ବାହାଘର ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁମାନେ ଲିଭିଇନରେ ରହୁଛନ୍ତି ସେମାନେ କଣ ନିଜ ଝିଅଙ୍କ କନ୍ୟାଦାନ କରିପାରିବେ ନାହିଁ ? କନ୍ୟାଦାନ କରିବା ପାଇଁ କଣ ତାଙ୍କୁ ବାହା ହେବା ନିହାତି ଦରକାର ? ହିନ୍ଦୁ ସମାଜରେ ଏହା ବହୁ ପୁରୁଣା ପରମ୍ପରା । ବିବାହିତା ଦମ୍ପତ୍ତି ହିଁ କନ୍ୟାଦାନ କରିଥାନ୍ତି । ବିବାହ ପୂର୍ବରୁ ପଣ୍ଡିତ ଏବଂ ପରମାଲଙ୍କ ସମ୍ପର୍କୀୟ କହିଥିଲେ ଯେ, କନ୍ୟାଦାନ ପାଇଁ ଉଭୟଙ୍କୁ ବିବାହ କରିବାକୁ ପଡିବ । ନଚେତ ସେ ନିଜ ଝିଅର କନ୍ୟାଦାନ କରିପାରିବେ ନାହିଁ । ସମସ୍ତଙ୍କ କଥା ମାନି ଉଭୟ ପ୍ରଥମେ ବିବାହ କରିଥିଲେ ।

ସବୁଠାରୁ ମଜାଳିଆ କଥା ହେଲା ବାପା ବରଯାତ୍ରୀରେ ତାଙ୍କର ୪ ପୁଅ ଝିଅ ବ୍ୟାଣ୍ଡ ବାଜା ଧରି ଯାଇଥିଲେ । ୪ ପୁଅଝିଅ ଧୂମଧାମରେ ନିଜ ବାପାଙ୍କ ବାହାଘର ମାଙ୍କ ସହ କରାଇଥିଲେ । ସବୁ ପୁଅ ଝିଅ ବରଯାତ୍ରୀରେ ଡ୍ୟାନ୍ସ କରିଥିଲେ ଏବଂ ମଜା କରିଥିଲେ ।