ପୁଅର କାନ୍ଦରେ ଭାଙ୍ଗିଗଲା ନିଦ, ଦେଢ ମାସର ଶିଶୁକୁ ପିଟିପିଟି ମାରିଦେଲା ନୃଶଂସ ବାପା

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩।୮: ଦିଲ୍ଲୀ ନିକଟ ଫରିଦାବାଦରେ ଏକ ସମ୍ବେଦନଶୀଳ ହତ୍ୟା ମାମଲା ସାମ୍ନାକୁ ଆସିଛି । ପୁରୁଣା ଫରିଦାବାଦର ରାଜୀବ ନଗର ଅଞ୍ଚଳରେ ଦେଢ ମାସର ପୁଅକୁ ପିଟି ପିଟି ହତ୍ୟା କରିଛି ବାପା । ମୃତ ଶିଶୁର ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବା ଜଣାପଡିଛି ।

ମୃତ ଶିଶୁର ମା’ଙ୍କ ଅଭିଯୋଗ ଅନୁସାରେ, ଦେଢ ମାସ ପୂର୍ବରୁ ସେମାନଙ୍କର ଯାଆଁଳା ପୁଅ ଜନ୍ମ ହୋଇଥିଲେ । ଶୁକ୍ରବାର ଦିନ ମହିଳା ଜଣଙ୍କ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଫରିଦାବାଦର ବସେଲୱା କଲୋନୀକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଗୋଟିଏ ପୁଅକୁ ସାଙ୍ଗରେ ନେଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଘରେ ଛାଡି ଯାଇଥିଲେ ।

ମହିଳା ଜଣଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧି ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ସେ ତାଙ୍କ ପୁଅକୁ ମୃତ ଅବସ୍ଥାରେ ପଡିଥିବା ଦେଖିଥିଲେ । ତାଙ୍କ ସ୍ବାମୀ ସେଠାରୁ ଫେରାର ହୋଇଯାଇଥିଲେ । ପଡୋଶୀମାନେ କହିଥିଲେ ଯେ, ଶିଶୁଟି କାନ୍ଦୁଥିଲା ଏବଂ ଯେତେବେଳେ ଶିଶୁଟି ଚୁପ୍ ହୋଇଯାଇଥିଲା ସେତେବେଳେ ସେମାନେ ଯାଇ ଦେଖିଥିଲେ । ସେତେବେଳକୁ ଶିଶୁଟିର ପାଟି ଓ ନାକରୁ ରକ୍ତ ବାହାରୁଥିଲା । ଏହାପରେ ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଅନ୍ୟପଟେ ଶିଶୁଟିର ମାମୁଁ ଅଭିଯୋଗ କରିଛନ୍ତି ଯେ, ଶିଶୁଟିର ବାପା ହିଁ ତାକୁ ହତ୍ୟା କରିଛି । ଅଭିଯୁକ୍ତ ବାପା ସୁନ୍ଦର ରାତିରେ ଗାଡି ପାସିଂ କରିବାର କାମ କରେ ଏବଂ ଦିନରେ ଶୋଇଥାଏ । ଯେତେବେଳେ ଶିଶୁଟି ତା ଶୋଇବା ସମୟରେ କାନ୍ଦିଥିଲା ସେତେବେଳେ ତା ନିଦ ଭାଙ୍ଗିଯାଇଥିଲା । ସେ ରାଗିଯାଇ ପିଲାଟିକୁ ପିଟିପିଟି ହତ୍ୟା କରିଛି । ଏହାପରେ ଧରାପଡିଯିବା ଭୟରେ ସେ ଘଟଣାସ୍ଥଳରୁ ହୋଇଯାଇଛି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ବାପା ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.