ମୁମ୍ଵାଇ ୨୫।୧୧; ଉଜ୍ଜୈନରେ ଇଲେକ୍ଟ୍ରିକ୍ ବାଇଣ୍ଡିଂ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପୁଅ ବାହାଘର ପାଇଁ ହେଲିକପ୍ଟର ବ୍ୟବସ୍ଥା କରିବା ଘଟଣା ଚର୍ଚ୍ଚାକୁ ଆସିଛି । ବର ସଜବାଜ ହୋଇ ହେଲିକପ୍ଟରରେ ମହିଦପୁରରେ ପହଞ୍ଚିବା ପରେ ଲୋକେ ଭିଡ ଜମାଇଥିଲେ। ସୂଚନା ଅନୁସାରେ ଏଥିପାଇଁ ବର ପିତା ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରାୟ ମାସେ ଧରି ସେ ବିଭିନ୍ନ ସରକାରୀ ବିଭାଗକୁ ଯାଇ ଏଥିପାଇଁ ଅନୁମତି ଆଣିଥିଲେ ।
ଅପରାହ୍ନ ୪ଟାରେ ବର ଏବଂ ତାଙ୍କ ମାତାପିତା, ଭଉଣୀ, ଭିଣୋଇ ମହିଦପୁର ଅଭିମୁଖେ ବାହାରିଥିଲେ । ଅନ୍ୟ ବରଯାତ୍ରୀଙ୍କ ପାଇଁ ୫୦ କାର୍ ଏବଂ ୨ଟି ବସ୍ ବ୍ୟବସ୍ଥା କରାଯାଇଥିଲା । ଉଜ୍ଜୈନ ବାସିନ୍ଦା ଜଗଦୀଶ ମାଲୀ ଶ୍ରୀରାମ ମୋଟର ବାଇଣ୍ଡିଂ, ହୋଟେଲ ଅପ୍ନା ଏବଂ ତଡ୍କା ବାର୍ ଚଲାନ୍ତି । ତାଙ୍କ ସାନ ପୁଅ ରିତିକ୍ ମାଲୀଙ୍କ ବିବାହ ମହିଦପୁର ନିକଟ ଭୀମଖେଡା ବାସିନ୍ଦା ତେଜୁଲାଲଙ୍କ ଝିଅ ଆଶା ଗୁନ୍ଦିଆଙ୍କ ସହ ସ୍ଥିର ହୋଇଥିଲା । ଜଗଦୀଶ କହିଛନ୍ତି, ବିବାହରେ କିଛି ନିଆରା କରିବାକୁ ପୁଅର ଇଚ୍ଛା ଥିଲା । ତେଣୁ ଆମେ ହେଲିକପ୍ଟରରେ ବର ନେବାକୁ ଭାବିଥିଲୁ । ପ୍ରଥମେ ଦତାନା ଏୟାର ଷ୍ଟ୍ରିପ୍କୁ ଯୋଗାଯୋଗ କରିଥିଲୁ । ସେଠାରୁ ଦିଲ୍ଲୀର ଏକ ନମ୍ବର ମିଳିଥିଲା । ସେଠାରୁ ଅହମଦାବାଦର ଏକ ଇଭେଣ୍ଟ କମ୍ପାନୀ ଏରୋଟ୍ରାନ୍ସ ନମ୍ବର ମିଳିବା ପରେ ଯୋଗାଯୋଗ କରିଥିଲୁ । ଅହମଦାବାଦରୁ ହେଲିକପ୍ଟର ଆସିବା ପରେ ତାହା ୧୫ ମିନିଟ୍ରେ କନ୍ୟା ଘର ପାଖରେ ପହଞ୍ଚାଇ ଦେଇଥିଲା । ବଡ଼ ପୁଅ ବାହାଘରରେ ଏପରି କରିବାର ଇଚ୍ଛା ଥିଲା ।
କିନ୍ତୁ ସେତେବେଳେ ବ୍ୟବସ୍ଥା ହୋଇପାରି ନ ଥିଲା । ସାନ ପୁଅ ପାଇଁ ହେଲିକପ୍ଟର ବ୍ୟବସ୍ଥା କରିବା ଲାଗି ପୁଲିସ ବିଭାଗ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ, ପୂର୍ତ୍ତ ବିଭାଗ ସହିତ ବହୁ ବିଭାଗରୁ ଅନୁମତି ଆଣିବାକୁ ପଡ଼ିଥିଲା । ଏ ସବୁରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିସହ ହେଲିକପ୍ଟର କମ୍ପାନୀକୁ ୮ ଲକ୍ଷ ୭୯ ହଜାର ଟଙ୍କା ପେମେଣ୍ଟ କରିଥିଲୁ । ମହିଦରପୁର ଭୀମଖେଡାରେ ଏକ ହେଲିପ୍ୟାଡ୍ ବନାଯାଇଥିଲା । ସେଠାରେ ୪ ଗାର୍ଡ, ଆମ୍ବୁଲାନ୍ସ ଏବଂ ଦମକଳ ବ୍ୟବସ୍ଥା କରାଯାଇଥିଲା ବୋଲି ସେ କହିଛନ୍ତି ।