ନିଶାରେ ଜନକ ପାଲଟିଗଲା ଜହ୍ଲାଦ, ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | May 22, 2020 IST

ନୀଳଗିରି ୨୨।୫: ବାଲେଶ୍ଵର ଜିଲ୍ଲା ବରମପୁର ଥାନା ଅଧିନ ପୀଠହତା ପଞ୍ଚାୟତରେ ଅଞ୍ଚଳରେ ଲଜ୍ଜା । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନାଯୋଗ୍ୟ ଯେ, ପୀଠହତା ପଞ୍ଚାୟତର ବାଲିବନ୍ଧସାହି ଅଞ୍ଚଳରେ ଜୈନିକ ବ୍ୟକ୍ତିଙ୍କର ଦୁଇଝିଅ ଗୋଟିଏ ପୁଅ ଅଛନ୍ତି । ବଡ଼ ଝିଅ ଲୋକଙ୍କ ଘରେ ରହି କାମ ଧନ୍ଧା କରନ୍ତି । ମଝିଆ ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ପୁଅ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ଗତ ଅପ୍ରେଲ ମାସ ୧୯ ତାରିଖ ଦିନ ଘରେ କେହିନଥିବା ବେଳେ ନିଶାସକ୍ତ ଅବସ୍ଥାରେ ମଝିଆ ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଘଟଣାକୁ ୧୫ ଦିନ ପରେ କଷ୍ଟ ହେବାରୁ ମା’ଙ୍କୁ ଝିଅ ସବୁ କଥା କହିଥିଲେ । ଘଟଣା ଜାଣିବା ପରେ ମା’ ତାଙ୍କ ବାପାଙ୍କୁ ଏ ବିଷୟରେ ପଚାରିବାରୁ ଅଭିଯୁକ୍ତ ଜଣଙ୍କ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ମା’, ଝିଅ ଓ ପୁଅ ଭୟରେ ପାଖ ଜଙ୍ଗଲରେ  ଲୁଚି ରହିଥିଲେ ।

ଦୀର୍ଘ ୧୦ ଦିନ ଭୋକ ଓପାସରେ ରହିବା ପରେ ସ୍ଥାନୀୟ ଅଙ୍ଗନବାଡୀ କର୍ମୀଙ୍କୁ ସବୁକଥା କହିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ନୀଳଗିରି ବ୍ଲକ୍ ପ୍ରତିନିଧି କରୁଣାକର ପଣ୍ଡା ବରମପୁର ଥାନାକୁ ଯାଇ ଘଟଣା ବିଷୟରେ ବୁଝିବା ସହ ତୁରନ୍ତ ଏତଲା ଦାୟର କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ଗୁରୁବାର ଥାନାରେ ଅଭିଯୋଗ ପରେ ବରମପୁର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ ପାଇଁ ନୀଳଗିରି ଥାନାକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.