ହ୍ୟାଣ୍ଡପମ୍ପରେ ଗାଧୋଉଥିଲେ ବାପା: ହଠାତ ଛଟପଟ ହେବାରୁ ବଞ୍ଚାଇବାକୁ ଦୌଡ଼ି ଆସିଲା ଝିଅ, ଚାଲିଗଲା ବାପା-ଝିଅଙ୍କ ଜୀବନ

Published By : Prameya-News7 Bureau | August 23, 2021 IST

ଦେବରୀୟା ୨୩/୦୮ : ଉତ୍ତର ପ୍ରଦେଶ ଦେବରୀୟାର ମଇଲ ଥାନା ଅନ୍ତର୍ଗତ ଯୋଗପୁର ଗାଁରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା ଓ ଝିଅର ମୃତ୍ୟୁ ହୋଇଛି। ହ୍ୟାଣ୍ଡପମ୍ପ ନିକଟରେ ବାପା ଛଟପଟ ହେଉଥିବା ଦେଖି ବାପାକୁ ବଞ୍ଚାଇବାକୁ ଝିଅ ଦୌଡ଼ି ହ୍ୟାଣ୍ଡପମ୍ପ ପାଖରେ ପହଞ୍ଚିଥିଲା। ଝିଅ ସେଠାରେ ପହଞ୍ଚିବା ପରେ ଝିଅର ଅବସ୍ଥା ମଧ୍ୟ ବାପା ଭଳି ହୋଇଯାଇଥିଲା। ଦୁହେଁ ତଳେ ପଡି ଛଟପଟ ହୋଇଥିଲେ। କେହି କିଛି ବୁଝିବା ପୂର୍ବରୁ ଦୁହେଁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ସୂଚନା ଅନୁଯାୟୀ, ସୋମବାର ସକାଳେ ଯୋଗପୁର ଗାଁରେ ୫୫ ବର୍ଷ ବୟସ୍କ ବ୍ୟାସ ତିୱାରୀ ନିଜ ଘର ବାହାରେ ଥିବା ହ୍ୟାଣ୍ଡପମ୍ପରେ ଗାଧୋଉଥିଲେ। ହ୍ୟାଣ୍ଡପମ୍ପ ଉପରୁ ଯାଇଥିବା ବିଜୁଳି ତାରରେ ସେ ଲାଗି ଯାଇଥିଲେ। ବିଜୁଳି ସଂସ୍ପର୍ଶରେ ଆସି ସେ ତଳେ ପଡି ଛଟପଟ ହୋଇଥିଲେ। ତାଙ୍କର ଗୋଟିଏ ହାତ ବିଜୁଳି ତାରରେ ଲାଖି ରହିଥିଲା। ନିଜ ଆଖି ସାମ୍ନାରେ ବାପାକୁ ଛଟପଟ ହେଉଥିବା ଦେଖି ୨୧ ବର୍ଷୀୟ ଝିଅ ରିମା ତାଙ୍କୁ ବଞ୍ଚାଇବାକୁ ବାପା ପାଖରେ ପହଞ୍ଚିଥିଲା। ବାପା ପାଖରେ ପହଞ୍ଚିବା କ୍ଷଣି ଝିଅ ମଧ୍ୟ ବିଜୁଳି ସଂସ୍ପର୍ଶରେ ଆସିଥିଲା। ଝିଅ ମଧ୍ୟ ଛଟପଟ ହୋଇ ଆଖି ବୁଜି ଦେଇଥିଲା। ମାତ୍ର କିଛି ମିନିଟରେ ବାପା-ଝିଅଙ୍କ ମୃତ୍ୟୁ ହୋଇଗଲା।

ବାପା-ଝିଅ ବିଜୁଳି ସଂସ୍ପର୍ଶରେ ଆସିଥିବା ଦେଖି ଗ୍ରାମବାସୀ ତୁରନ୍ତ ବିଜୁଳି କାଟିଦେଇଥିଲେ ଓ ଦୁହିଁଙ୍କୁ ନେଇ ସଲେମପୁର ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ। ବାପା-ଝିଅଙ୍କ ମୃତ୍ୟୁ ସୂଚନା ମିଳିବା କ୍ଷଣି ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ପୋଲିସ ଦୁହିଁଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ଗ୍ରାମବାସୀ କହିଛନ୍ତି ଯେ ବ୍ୟାସ ତିୱାରୀ ଗୋରଖପୁରରେ ଏକ ପ୍ରାଇଭେଟ ଟେଲିକମ କମ୍ପାନୀରେ ଟାୱାର ଲଗାଇବା କାମ କରୁଥିଲେ। ରାକ୍ଷୀ ପୂର୍ଣ୍ଣିମା ପାଇଁ ସେ ଘରକୁ ଆସିଥିଲେ। ସୋମବାର ଦିନ ସେ ନିଜ ଘର ବାହାରେ ଗାଧୋଉଥିଲେ। ସେ ଯେଉଁ ହ୍ୟାଣ୍ଡପମ୍ପରେ ଗାଧୋଉଥିଲେ ତାର ଠିକ ଉପରୁ ଟ୍ରାନ୍ସଫର୍ମର ତାର ତାଙ୍କ ଘରକୁ ଯାଇଥିଲା। ବ୍ୟାସ ତିୱାରୀ ଯେମିତି ଗାଧୋଇ ଛିଡା ହେଲେ ଓ ହାତ ଉପରକୁ କଲେ କଟିଯାଇଥିବା ତାରରେ ହାତ ଲାଗିଗଲା ଓ କରେଣ୍ଟ ଲାଗିଗଲା। ବାପାକୁ ଦେଖି ଝିଅ ରିମା ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲା କିନ୍ତୁ ବାପାକୁ ବଞ୍ଚାଇବାକୁ ଯାଇ ସେ ବି ବିଜୁଳି ସଂସ୍ପର୍ଶରେ ଆସି ପ୍ରାଣ ହରାଇଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.