ଅଧିକ ସୁଧ ଲାଳସା ଦେଇ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ, ଫେରାର ବାପା-ପୁଅକୁ ଧରି ପୋଲିସର ଜିମା ଦେଲେ ଲୋକେ
6/08/2019 at 1:06 PM

ନବରଙ୍ଗପୁର ୬|୮: ବାପା ପୁଅଙ୍କ ଦ୍ଵାରା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ସହରରେ ସରଳ ଲୋକଙ୍କୁ ଅଧିକ ସୁଧର ଲାଳସା ଦେଖାଇ ସମ୍ପତ୍ତି ହଡପ କରାଯାଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସହରର ଏ. ଭେଙ୍କେଟ ରାଓ ଓ ଏ. ବାଶୁ ନାମକ ବାପା-ପୁଅ ୨୦୧୪ ମସିହାରୁ ଠାରୁ ପ୍ରତିଦିନ କିଛି ଲୋକଙ୍କୁ ନେଇ ଏକ ଗ୍ରୁପ କରି ସେମାନଙ୍କଠୁ ଟଙ୍କା ଆଦାୟ କରୁଥିଲେ ଏବଂ ପ୍ରତ୍ୟେକ ମାସ ର ଏକ ନିର୍ଦ୍ଧିଷ୍ଟ ଦିନରେ ଏହାକୁ ଗ୍ରୁପର ସଦସ୍ୟ ମଧ୍ୟରୁ ଯାହାକୁ ଆବଶ୍ୟକ ସେ ଆଦାୟ ଟଙ୍କା ନେଉଥିଲେ ଓ ସେ ଟଙ୍କାକୁ ସେହି ସଦସ୍ୟ ଠିକ୍ ସମୟରେ ସୁଧ ସହିତ ପୈଠ କରୁଥିଲେ । ଗ୍ରୁପ ସଦସ୍ୟ ଙ୍କଠୁ ଟଙ୍କା ଆଦାୟ କରି ଉକ୍ତ ବାପା-ପୁଅ ନିଜ ପାଖରେ ରଖୁଥିଲେ ।

ଏଭଳି କିଛି ଦିନ ଉଭୟଙ୍କ ମଧ୍ୟରେ କାରବାର ଠିକ୍ରେ ଚାଲିଥିବା ବେଳେ କିନ୍ତୁ ଦିନେ ଏପରି ଲକ୍ଷାଧିକ ଟଙ୍କା ଚତୁରତାର ସହିତ ଲୋକଙ୍କଠୁ ଆଦାୟ କରାଯାଇ ସେହି ଟଙ୍କାକୁ ନିଜ ଆତ୍ମୀୟସ୍ବଜନଙ୍କୁ ପ୍ରଦାନ କରି ଆନ୍ଧ୍ରପ୍ରଦେଶରେ ଘର କରି ନବରଙ୍ଗପୁର ସହର ଛାଡି ଚାଲିଯାଇଥିବା କ୍ଷତିଗ୍ରସ୍ତ ଲୋକ ମାନେ ଅଭିଯୋଗ କରିଛନ୍ତି ।

କିଛି ଦିନ ପୂର୍ବେ ନବରଙ୍ଗପୁର ଗାଦବାଗୁଡ଼ା ସ୍ଥିତ ନିଜ ଜାଗା କୁ ବିକ୍ରୟ ପାଇଁ ଆସିଥିବା ବେଳେ ଲୋକେ ଦେଖି ତାଙ୍କୁ ପୋଲିସର ଜିମା ଦେଇଥିଲେ । ଅଧିକ ସୁଧ ପାଇବା ଆଶାରେ ଟଙ୍କା ବାନ୍ଧି ଲୁଟର ଶିକାର ହେବା ଦ୍ବାରା ଲୋକେ ବର୍ତ୍ତମାନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏସମ୍ପର୍କରେ ଲୁଟର ଶିକାର ହୋଇଥିବା ଲୋକଙ୍କଠୁ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ।