ପରିବାରର ଇଚ୍ଛା ବିରୋଧରେ ବିବାହ କରିବାକୁ ଜିଦ୍‌ ଧରିଥିଲା ଝିଅ, ହାତର ୪ ଆଙ୍ଗୁଳି କାଟିଦେଲେ ବାପା-ଭାଇ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୫/୧୨: ପ୍ରେମିକକୁ ବାହା ହେବା ଜିଦ ମହଙ୍ଗା ପଡ଼ିଲା। ଝିଅ ହାତର ୪ ଆଙ୍ଗୁଳି କାଟିଦେଲେ ବାପା-ଭାଇ। ଝିଅର ବୟସ ୨୧ ବର୍ଷ ହୋଇଥିଲେ ହେଁ ପରିବାର ଲୋକ ତାର ପସନ୍ଦରେ ବିବାହ କରିବା ଉପରେ ଆପତ୍ତି ଉଠାଇଥିଲେ। ଏହା ପରେ ପରିବାରରେ ଅଶାନ୍ତି ବଢ଼ିଥିଲା। ଏପରିକି ତାଙ୍କୁ ବାରମ୍ବାର ମନା କରିବା ପରେ ବି ସେ ପ୍ରେମିକ ସହ ଲୁଚି ପଳାଇଯିବାକୁ ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ବାପା-ଭାଇ ଝିଅ ହାତର ଚାରି ଆଙ୍ଗୁଳି କାଟି ଦେଇଥିଲେ।

ଏଭଳି ଏକ ଘଟଣା କର୍ଣ୍ଣାଟକର ହନୁର ତାଲୁକ ଅନ୍ତର୍ଗତ ପିଜି ପଲ୍ୟା ଗାଁରେ ଘଟିଛି। ଯୁବତୀଙ୍କ ନାଁ ଧନଲକ୍ଷ୍ମୀ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ନାଁ ସତ୍ୟା। ସତ୍ୟା ଓ ଧନଲକ୍ଷ୍ମୀ ପରଷ୍ପରକୁ ଦୁଇ ବର୍ଷ ହେଲା ଭଲ ପାଉଥିଲେ। ପରେ ବିବାହ କରିବା ନେଇ ନିଜ ନିଜ ଘରେ କହିବାକୁ ସ୍ଥିର କରିଥିଲେ। ସାହସ ଜୁଟାଇ ଘରେ ଜଣାଇଥିଲେ ଧନଲକ୍ଷ୍ମୀ। ସତ୍ୟାକୁ ଖୁବ ଭଲପାଏ ବୋଲି କହିବା ସହ ବାହା ହେବାକୁ ଜିଦ୍‌ ଧରିଥିଲେ ଧନଲକ୍ଷ୍ମୀ।

ଧନଲକ୍ଷ୍ମୀଙ୍କ ଏହି ପ୍ରସ୍ତାବରେ ରାଜି ନଥିଲେ ବାପା-ଭାଇ। ସତ୍ୟାଙ୍କୁ ବିବାହ କରିବାକୁ ମନା କରିଥିଲେ। ଧନଲକ୍ଷ୍ମୀ ଏସବୁ କଥାକୁ କର୍ଣ୍ଣପାତ ନକରି ସତ୍ୟାଙ୍କ ସହ ଲୁଚି ପଳାଇଯିବାକୁ ମନସ୍ଥ କରିଥିଲେ। ଏନେଇ ଜାଣିପାରିଥି​‌ଲେ ଧନଲକ୍ଷ୍ମୀଙ୍କ ବାପା ଓ ଭାଇ।

ସ୍ଥାନୀୟ ବଜାରରେ ଥିବା ଏକ ଏସ୍‌ଟିଡି ବୁଥ ସାମ୍ନାରେ ଧନଲକ୍ଷ୍ମୀଙ୍କୁ ଦେଖିବା ପରେ ଆରମ୍ଭ ହୋଇଥିଲା ମହାଭାରତ। ବାପା ଭାଇଙ୍କ ସହ ଝଗଡ଼ା କରିଥିଲେ ଧନଲକ୍ଷ୍ମୀ। ଏହି ସମୟରେ ତାଙ୍କ ବାପା ଭାଇ ଧନଲକ୍ଷ୍ମୀଙ୍କ ହାତର ୪ ଆଙ୍ଗୁଳି କାଟି ଦେଇଥିଲେ । ଏହି ଘଟଣା ଦେଖି ଲୋକେ ଦୌଡ଼ିଆସିଥିଲେ । ପରେ ଧନଲକ୍ଷ୍ମୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଧନଲକ୍ଷ୍ମୀଙ୍କ ବାପା ଓ ଭାଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.