ଭୁବନେଶ୍ଵର: ବାପା ଛେଉଣ୍ଡ ଥିଲେ। ପୁଣି କ୍ୟାନସର ରୋଗରେ ପୀଡ଼ିତ ମାଆ ଚିକିତ୍ସିତ ହେଉଥିଲେ। ଏମିତି କଷ୍ଟକର ଏବଂ ଘଡ଼ିସନ୍ଧି ସମୟରେ ବିଚଳିତ ହୋଇ ନ ଥିଲେ କି ଭାଙ୍ଗିପଡ଼ି ନ ଥିଲେ। ଏତେ ସବୁ କଷ୍ଟ ତାଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ୍ କରି ପାରି ନ ଥିଲା। ମାଆଙ୍କ ଚିକିତ୍ସା ସମୟରେ ସେ ୟୁପିଏସସି ପରୀକ୍ଷା ଦେଉଥିଲେ। ଆଉ ସବୁ ବାଧାବିଘ୍ନକୁ ଏଡ଼ାଇ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଆଜି ସଫଳ କରାଇଛି। ଆମେ କହୁଛୁ ଅନିମେଶ ପ୍ରଧାନଙ୍କ କଥା। ଯିଏ ଆଜି ପ୍ରକାଶିତ ୟୁପିଏସସି ପରୀକ୍ଷା ୨୦୨୩ରେ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନିଜ ପରିବାର ସହ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସବୁଠୁ ବଡ଼ କଥା ସେ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଛନ୍ତି।
Also read: UPSC Results 2023: ଟପ୍ପର ହୋଇଥିବା କିଏ ଏହି ଆଦିତ୍ୟ ଶ୍ରୀବାସ୍ତବ ?
ଅନିମେଶ ସଫଳ ତ ହେଲେ, କିନ୍ତୁ ତାଙ୍କର ସଫଳତା ଦେଖିବା ପାଇଁ ନାହାନ୍ତି ମାଆ। ଚିକିତ୍ସାଧୀନ ଅବସ୍ଥାରେ ଗତ ମାସରେ ଆର ପାରିକୁ ଚାଲି ଯାଇଛନ୍ତି। ଏହା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ବୋଲି କହିଛନ୍ତି ଅନିମେଶ । ମାଆଙ୍କୁ ମନେ ପକେଇ କହିଛନ୍ତି, ସେ ଆଜି ନାହାନ୍ତି ସତ, କିନ୍ତୁ ଆଜି ଯାହା ବି ହୋଇଛି ତାହା କେବଳ ମାଆଙ୍କ ଯୋଗୁଁ । ସେ ହିଁ ତାଙ୍କର ପ୍ରେରଣା ବୋଲି ଅନିମେଶ କହିଛନ୍ତି ।
ଅନିମେଶଙ୍କ ଏହି ସଫଳ ଯାତ୍ରା ପଛରେ ରହିଛି ବିରାଟ ସଂଘର୍ଷର କାହାଣୀ। ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ଭାଲୁଗାଡ଼ିଆରେ ଜନ୍ମ ଗ୍ରହଣ କରିଥିଲେ ଅନିମେଶ(୨୪)। ବାପା ପ୍ରଭାକର ପ୍ରଧାନ ଓ ମାଆ ହେଉଛନ୍ତି ଅରୁଣା ପାତ୍ର। ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ ଅନିମେଶ । ଏମସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ୯୮.୮% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୨୧ ମସିହାରେ ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି. ଟେକ୍ ପାସ୍ କରି ଏହା ପରଠୁ ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍) ରେ ଇନଫରମେସନ୍ ସିଷ୍ଟମ୍ ଅଫିସର ଭାବେ ଚାକିରି କରୁଛନ୍ତି ।
କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ବହୁତ ବଡ଼। ଆଇଏଏସ ହେବାର ସ୍ଵପ୍ନ ଦେଖିଥିବା ଅନିମେଶ ଏତିକିରେ ଅଟକି ଯାଇ ନ ଥିଲେ। ବିନା କୋଚିଂରେ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ପାରିବାରିକ ଜୀବନରେ ମାଡ଼ି ଆସିଥିଲା ଘୋର ଦୁର୍ଦ୍ଦଶା। ପୂର୍ବରୁ ବାପାଙ୍କୁ ହରାଇଥିବା ଅନିମେଶଙ୍କ ମାଆଙ୍କୁ କ୍ୟାନସର ହେବାରୁ ଚିକିତ୍ସା ଜାରି ରହିଥିଲା। ଏହି କଷ୍ଟକର ସମୟରେ ବି ସେ ଭାଙ୍ଗି ନ ପଡ଼ି ନିଜର ପ୍ରସ୍ତୁତି ଚଳାଇଥିଲେ। ଆଉ ଆଜି ସେ ସଫଳ ହୋଇଛନ୍ତି। କିନ୍ତୁ ପୁଅର ଏହି ସଫଳତ ଦେଖିବାକୁ ମାଆ ନାହାନ୍ତି ପାଖରେ। ପୂର୍ବରୁ ୨୦୧୭ରେ ବାପା ପ୍ରଭକାର ପ୍ରଧାନ ଆରପାରିକୁ ଚାଲି ଯାଇଥିଲେ। ତାଙ୍କ ଭଉଣୀ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗରେ ଚାକିରି କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ଭଉଣୀଙ୍କ ଅବଦାନ ଥିବା ଅନିମେଶ କହିଛନ୍ତି।