ନୂଆଦିଲ୍ଲୀ: ବିଗତ ୨-୩ ମାସରେ ବଢ଼ିଛି ବିଭିନ୍ନ ଘରୋଇ ସାମଗ୍ରୀର ମୂଲ୍ୟ। ରିପୋର୍ଟ ଅନୁଯାୟୀ, ଅନେକ ଏଫଏମସିଜି କମ୍ପାନି ସେମାନଙ୍କର କିଛି ନିର୍ଦ୍ଧିଷ୍ଟ ଖାଦ୍ୟ ପଦାର୍ଥ ଏବଂ ପ୍ରଶାଧନ ସାମଗ୍ରୀର ମୂଲ୍ୟରେ ପ୍ରାୟ ୨ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଉ ଏହି ମୂଲ୍ୟ ବୃଦ୍ଧି ପଛର କାରଣ ହେଉଛି ଇନ୍ପୁଟ୍ ଖର୍ଚ୍ଚରେ ବୃଦ୍ଧି। ଅର୍ଥାତ୍ ଉତ୍ପାଦ ତିଆରି ପାଇଁ ହେଉଥିବା ଖର୍ଚ୍ଚ। ଏହି ସବୁ ସାମଗ୍ରୀ ମଧ୍ୟରେ, ସାବୁନ୍ ଏବଂ ବଡ଼ିଓ୍ବାସ୍ରେ ୨ରୁ ୯ ପ୍ରତିଶତ, ହେୟାର ଅଏଲରେ ୮ରୁ ୧୧ ପ୍ରତିଶତ ଏବଂ ନିର୍ଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀରେ ୩ରୁ ୧୭ ପ୍ରତିଶତ ବୃଦ୍ଧି ହୋଇଛି।
ତେବେ ଏହି ବୃଦ୍ଧି ଏକ ବର୍ଷ ଧରି ଏସବୁ ସାମଗ୍ରୀ ଦର ହ୍ରାସ ପରେ ଦେଖିବାକୁ ମିଳିଛି । ଅଶୋଧିତ ଏବଂ ପାମ୍ ଅଏଲ ଦାମ୍ କମ୍ ଥିଲେ ମଧ୍ୟ ଅନ୍ୟ ସାମଗ୍ରୀ ଯେପରିକି, ଦୁଗ୍ଧ, ଚିନି, କଫି, କୋପ୍ରା ଏବଂ ବାର୍ଲି ଭଳି ସାମଗ୍ରୀର ମୂଲ୍ୟ ଉପରମୁହାଁ ଦେଖିବାକୁ ମିଳିଛି। ଯାହା ଏସବୁ ସାମଗ୍ରୀର ଦର ବୃଦ୍ଧିର ଅନ୍ୟ ଏକ କାରଣ।
ବିକାଜୀ, ଚଳିତ ଆର୍ଥିକ ବର୍ଷରେ ଏହାର ଉତ୍ପାଦର ମୂଲ୍ୟରେ ୨-୪ ପ୍ରତିଶତ ବୃଦ୍ଧି କରିଛି। ଟାଟା କନଜ୍ୟୁମର ପ୍ରୋଡକ୍ଟସ ମଧ୍ୟ ଖର୍ଚ୍ଚକୁ କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେହିଭଳି ଡାବର ଏବଂ ଇମାମୀ କମ୍ପାନି ମଧ୍ୟ ସେମାନଙ୍କର ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିପାରନ୍ତି।
ମୁଦ୍ରାସ୍ଫୀତି କାରଣରୁ ନେସଲେ ଏହାର କଫି ମୂଲ୍ୟରେ ୮-୧୩ ପ୍ରତିଶତ ବୃଦ୍ଧି କରିଛି। ମ୍ୟାଗି ଓଟ୍ସ ନୁଡଲ୍ସରେ ୧୭ ପ୍ରତିଶତ, ଏବଂ ଆଇଟିସି ଏହାର ଆଶୀର୍ବାଦ ଅଟା ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛି।
ସାବୁନ ଏବଂ ଡିଟରଜେଣ୍ଟ ମୂଲ୍ୟରେ ବୃଦ୍ଧି:
ଗୋଦରେଜ୍ କନଜ୍ୟୁମର ପ୍ରୋଡକ୍ଟ, ଏହାର ସାବୁନ୍ ମୂଲ୍ୟରେ ୪-୫ ପ୍ରତିଶତ ବୃଦ୍ଧି କରିଛି। ହିନ୍ଦୁସ୍ତାନ ୟୁନିଲିଭର ଏହାର ଡୋଭ୍ ସାବୁନ୍ର ମୂଲ୍ୟରେ ୨ ପ୍ରତିଶତ, ଓ୍ବିପ୍ରୋ ଏହାର ସନ୍ତୁର ସାବୁନ୍ର ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି କରିଛି। ସେହିଭଳି ବଡିଓ୍ବାସରେ ୪ ପ୍ରତିଶତ ବୃଦ୍ଧି ହୋଇଛି। ଡିଟରଜେଣ୍ଟର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି ।