ଜେଲ୍‌ରେ ନିର୍ଭୟା ଦୋଷୀଙ୍କ ନାଟକବାଜି : ବିନା କାରଣରେ ଚିଲାଉଛନ୍ତି, ଫୋପଡା ଫିଙ୍ଗା କରୁଛନ୍ତି ଖାଦ୍ୟ

Published By : Prameya-News7 Bureau | February 24, 2020 IST

ନୂଆଦିଲ୍ଲୀ ୨୪।୦୨:  ଆସନ୍ତା ମାର୍ଚ୍ଚ ମାସ ୩ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯିବ । ଦୋଷୀଙ୍କୁ ଫାଶୀ ଦେବା ଲାଗି ନୂତନ ଡେଥ୍‌ ଓ୍ବାରେଣ୍ଟ ଜାରି କରଛନ୍ତି ମାନ୍ୟବର କୋର୍ଟ । ତେବେ ଦୋଷୀଙ୍କ ଫାଶୀ ଦେବା ନେଇ ଜେଲ୍‌ ପ୍ରଶାସନ ପ୍ରସ୍ତୁତି ଜାରି ରଖିଛି । କିନ୍ତୁ ଫାଶୀ ଦିନ ଯେତେ ଯେତେ ପାଖକୁ ଆସିଯାଉଛି ଦୋଷୀମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । କେତେବେଳେ ନିଜକୁ କ୍ଷତି ପହଞ୍ଚାଉଛନ୍ତି । ତ ଫୁଣି କେତେବେଳେ ଜେଲ୍‌ରେ ଖାଦ୍ୟ ଖାଇବାକୁ ମନା କରିଦେଉଛନ୍ତି । ଦୋଷୀଙ୍କୁ ଖାଦ୍ୟ ଖାଇବାକୁ ଦେବାବେଳେ ବହୁତ ପରିଶ୍ରମ କରିବାକୁ ପଡୁଛି ।

ଜେଲ୍‌ କର୍ମଚାରୀଙ୍କ ଅନୁଯାୟୀ, ନିର୍ଭୟା ଦୋଷୀଙ୍କୁ ଆସନ୍ତା ୩ ତାରିଖରେ ଫାଶୀ ଦିଆଯିବ । ଯାହାକୁ ନେଇ କୋର୍ଟ ନୂତନ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ତେବେ ଫାଶୀ ତାରିଖ ଆସିବା ପୂର୍ବରୁ ଦୋଷୀମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ବହୁ  ସମୟରେ ଦୋଷୀମାନେ ବିନା କିଛି କଥାରେ ରାଗିଯାଉଛନ୍ତି । ଏବଂ ସେମାନଙ୍କୁ ବୁଝାଇବାକୁ କଠିନ ପରିଶ୍ରମ କରିବାକୁ ପଡୁଛି ।ଏମିତିକି ଘଣ୍ଟା ଘଣ୍ଟା ଧରି ବୁଝାଇବା ପରେ ମଧ୍ୟ ସେମାନେ ରାଜି ହେଉନାହାନ୍ତି । ତେବେ କିଛି ସମୟ ପରେ ସେମାନେ ଶାନ୍ତ ହେଉଛନ୍ତି । ଜେଲ୍‌ରେ ଦୋଷୀଙ୍କ କୋଠରୀ ପାଖାପାଖି ରହିଛି । କିଛି କିଛି ସମୟରେ ଦୋଷୀମାନେ ଚିତ୍କାର କରି ଅନ୍ୟ ଦୋଷୀମାନଙ୍କୁ ନିଜର କଥା କହୁଛନ୍ତି ।  ଏପରିକି ଦୋଷୀମାନଙ୍କୁ ଖାଇବାକୁ ଦେବା ସମୟରେ ଜେଲ୍‌ ଅଧିକାରୀ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜେଲ୍‌ରେ ଦୋଷୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଦୋଷୀଙ୍କ କୋଠରୀ ନିକଟରୁ ଅଳ୍ପ ଦୂରରେ ଫାଶୀ ଘର ରହିଛି । ଦୁଇ ଦିନ ତଳେ ଅଧିକାରୀମାନେ ଫାଶୀ ଘର ପରିଦର୍ଶନ କରିଥିଲେ । ଯାହାର ସୂଚନା ଦୋଷୀମାନଙ୍କୁ ମିଳିଯାଇଥିଲା ।ଏହାପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ଦୋଷୀମାନଙ୍କୁ ଅଧିକାରୀମାନ ବୁଝାଇଥିଲେ । ଏହା ସାମାନ୍ୟ ଗସ୍ତ ଥିଲା, ସମୟ ସମୟରେ ଏପରି ଗସ୍ତ ହୋଇଥାଏ । ତେବେ ଜେଲ୍‌ କର୍ମଚାରୀମାନଙ୍କୁ ଫାଶୀ ସଂପର୍କରେ ଜେଲରେ କୌଣସି ଆଲୋଚନା ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଦୋଷୀମାନଙ୍କ ଦୁଇ ଥର କାଉନସିଲିଂ କରାଯାଉଛି । ଏହି ସମୟରେ ସେମାନଙ୍କର ମାନସିକ ସ୍ଥିତି ଠିକ୍‌ ଅଛି ନା ନାହିଁ , ସେବିଷୟରେ ପରୀକ୍ଷା କରାଯାଉଛି । ସେମାନଙ୍କ ମନରେ କୌଣସି ନକରାତ୍ମକ ଭାବନା ଥିବା ନେଇ  ପରୀକ୍ଷା କରାଯାଉଛି ।

ଫାଶୀ ନେଇ ଆସନ୍ତା ୧ତାରିଖରେ ଟ୍ରାଏଲ କରାଯିବ । ଫୀଶୀ ପୂର୍ବରୁ ମାର୍ଚ୍ଚ ପହିଲା ଦିନ ଜହ୍ଲାଦ ଆସି ତିହାରରେ ପହିଞ୍ଚିବ । ଜହ୍ଲାଦ ତିହାରରେ ପହଞ୍ଚିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ  ଜେଲ୍‌ ପ୍ରଶାସନ ସୂଚିତ କରିଦେଇଛନ୍ତି । ଯଦି ଫାଶୀ ଘୁଞ୍ଚିଯାଏ, ତେବେ ତୁରନ୍ତ ଏହାର ଖବର ଉତ୍ତରପ୍ରଦେଶ ସରକାରଙ୍କୁ ଜଣାଇଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.