ଫସଲ ନଷ୍ଟ କରୁଛନ୍ତି ଶହ ଶହ ବାର୍‌ହା, ରାତି ସାରା ମଞ୍ଚାରେ ଜଗୁଛନ୍ତି ଚାଷୀ

Published By : Prameya-News7 Bureau | November 23, 2021 IST

ମହାକାଳପଡା ୨୩/୧୧:  କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲୀ ବାରହା ଉପଦ୍ରବ । ଉଜୁଡି ଯାଉଛି ଶହ ଶହ ଏକର ଧାନ ଫସଲ । ଚାଷୀ ଧାର କରଜ କରି ପ୍ରାକୃତିକ ବିପର୍ଯ୍ୟୟ , ରୋଗ ପୋକ ଦାଉକୁ ସମ୍ନା କରି ବହୁ ପରିଶ୍ରମ କରି  କ୍ଷେତରେ  ସୁନାର  ଧାନ ଫସଲ ଫଳାଇଛି । ମାତ୍ର ଅମଳ ସମୟରେ ନିକଟରେ ଥିବା ଲୁଣା ଜଙ୍ଗଲରୁ ଶହ ଶହ ସଂଖ୍ୟାରେ ବାରହା  ଆସି ଧାନ ଫସଲ ଖାଇ ପକାଉଛନ୍ତି ।  

ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅର୍ଗତ ମହାକାଳପଡା ବ୍ଲକର ନରସିଂହପୁର ଅଞ୍ଚଳରେ ବାରହାଙ୍କ ପାଦ୍ରୁଭାବ ସବୁଠାରୁ ଅଧିକ । ଏମାନଙ୍କ କବଳରୁ ଧାନ ଫସଲକୁ ସୂରକ୍ଷା ଦେବା ପାଇଁ ବିଭିନ୍ନ ପନ୍ଥା ଅମ୍ବଲମ୍ବନ କରୁଛନ୍ତି ଚାଷୀ । ବାରହା ଆକ୍ରମଣ ଯୋଗୁଁ ଜୀବନ ପ୍ରତି ବିପଦ ଭୟ,  ଅନ୍ୟ ପଟେ ବର୍ଷକର ପରିଶ୍ରମ ବି ଏବେ ବାଜିରେ । ତେଣୁ ବିଲରେ ମଞ୍ଚା ବାନ୍ଧି ରାତିସାରା ଫସଲ ଜଗୁଛନ୍ତି ଚାଷୀ । ଏପରିକି କିଏ ତୁରି ବଜାଉଛି ,ପୁଣି କିଏ ଟିଣ ବାଡେଉଛି । କିନ୍ତୁ ଜଙ୍ଗଲୀ ପଶୁ ଏସବୁକୁ ଖାତିର କରୁନାହାଁନ୍ତି । ଖାଲି ନରସିଂହପୁର ଅଞ୍ଚଳରେ ନୁହେଁ, ଏହି ସମସ୍ୟା ବତୀଘର, ଜମ୍ବୁ, ଲାଂଜୁରା, ସୁନିତି, ଖରନାସୀ, ଗଗୁଆର ଚାଷୀଙ୍କୁ ମଧ୍ୟ ଅତିଷ୍ଠ କରିଛି ।

ବନ ବିଭାଗ ତରଫରୁ ଜଙ୍ଗଲୀ ବାରହା ଉପଦ୍ରବ ନିୟନ୍ତ୍ରଣ କରିବା ପାଇଁ ଲୁହାର ତାର ବାଡ ଦିଆ ଯାଇଛି । ମାତ୍ର ନିମ୍ନମାନର କାମ ଯୋଗୁ ତାର ବାଡ ନଷ୍ଟ ହୋଇ ଯାଇଛି ତ ପୁଣି କେଉଠି ତାର ବାଡ ନଥିବାରୁ ପଶି ଆସୁଛି ବାରହା ପଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.