ଫାରୁଖ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ: କହିଲେ-ଚୀନ ସହାୟତାରେ ଜମ୍ମୁ-କାଶ୍ମୀରକୁ ପୁଣି ଫେରିବ ଧାରା ୩୭୦

Published By : Prameya-News7 Bureau | October 11, 2020 IST

ଜମ୍ମୁ-କାଶ୍ମୀର ୧୧।୧୦: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। କିନ୍ତୁ ଏହି ଧାରା ଯୋଗୁ ଫାଇଦା ପାଉଥିବା ଓ ଏଥିପାଇଁ ନିଜର ରାଜନୈତିକ ରୁଟି ସେକୁଥିବା ନେତା କିନ୍ତୁ ବିଚଳିତ ହୋଇପଡ଼ୁଛନ୍ତି। ଧାରା ୩୭୦ ପୁଣିଥରେ ଲାଗୁ କରିବାକୁ ବିଛିନ୍ନତାବାଦ ଚିନ୍ତାଧାରାର ନେତା ଦାବି କରିଆସୁଥିବା ବେଳେ ଏହା ବିରୋଧରେ ଲୋକଙ୍କୁ ଉସୁକାଉଥିବା ଦେଖିବାକୁ ମିଳିଛି।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦ୍ଦୁଲା ଧାରା ୩୭୦ ପୁଣିଥରେ ଲାଗୁ କରିବା ପାଇଁ ଚୀନର ସହୟତା ନେବା କଥା କହି ବିବାଦକୁ ଆସିଛନ୍ତି। ସେ କହିଛନ୍ତି, ଚୀନ ସହାୟତାରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଧାରା ୩୭୦ ଲାଗୁ କରାଯିବ।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତକାରରେ ଅବଦ୍ଦୁଲା କହିଛନ୍ତି, ଜମ୍ମୁ-କାଶ୍ମୀର ଓ ଲଦାଖରେ ଧାରା ୩୭୦ ଉଚ୍ଛେଦ ଆଦୌ ଗ୍ରହଣୀୟ ନୁହେଁ। ଧାରା ୩୭୦ ହଟାଇବା ପରେ ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ପରିସ୍ଥିତ ଉପୁଜିଛି। କେବଳ ଏଥିପାଇଁ ଚୀନ ଏଲଏସିରେ ଆକ୍ରମକ ଭାବ ପ୍ରକାଶ କରୁଛି। ଆମେ ତ ଚୀନକୁ ନିମନ୍ତ୍ରଣ କରିନଥିଲୁ ।ମୋଦି ସି ଜିନପିଙ୍ଗ ଆମନ୍ତ୍ରଣ କଲେ ତାଙ୍କ ସହ ଭୋଜନ କଲେ ବୋଲି କହିଛନ୍ତି ଫାରୁଖ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ସରକାରଙ୍କ ଦ୍ୱାରା ୫ ଅଗଷ୍ଟ ୨୦୧୯ ନିଆଯାଇଥିବା ଫଇସଲା ଆମକୁ ମଞ୍ଜୁର ନୁହେଁ। ପୁଣିଥରେ ଧାରା ୩୭୦ ନଲଗାଇବା ପର୍ଯ୍ୟନ୍ତ ଆମେ ସ୍ଥିର ରହିବୁନି। ଧାରା ୩୭୦ ଓ ୩୫ଏ ଫେରାଇ ଆଣିବା ପାଇଁ ଲୋକଙ୍କୁ ବଳ ମିଳୁ ବୋଲି ସେ ପ୍ରାର୍ଥନା କରୁଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.