ପ୍ରଧାନମନ୍ତ୍ରୀଙ୍କୁ ରକ୍ତ ଭିଜା ଚିଠି, କୃଷକ ନେତା ହାତକାଟି ଲେଖିଛନ୍ତି, 'ଜିଦ୍ ଛାଡ- କୃଷି ଆଇନ ପ୍ରତ୍ୟାହାର କର'

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: ନୂତନ କୃଷି ଆଇନ ନେଇ ଦିଲ୍ଲୀର ବିଭିନ୍ନ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଆଜି ୨୮ତମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଭାରତୀୟ କିଷାନ ୟୁନିୟନ(ଲୋକ ଶକ୍ତି)ର ପ୍ରମୁଖ ସେଅରାଜ  ସିଂହ ବୁଧବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଛନ୍ତି। ସେ ରକ୍ତରେ ଲିଖିତ ଏହି ଚିଠିରେ ତିନି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ସିଂହ ନୋଏଡାର ଦଳିତ ପ୍ରେରଣା ସ୍ଥଳରେ ନିଜ ଗୋଷ୍ଠୀ ସହିତ ଡେରା ପକାଇଛନ୍ତି। ଆନ୍ଦୋଳନକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଦର୍ଶନ କରିଛନ୍ତି।

ନୂତନ କୃଷି ଆଇନ ପ୍ରତ୍ୟାହାର କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ଓ କିଷାନ ଆୟୋଗ ଗଠନ କରିବା ଆଦି ଦାବି କରି ସିଓରାଜ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଲୋକଶକ୍ତିର ମୁଖପାତ୍ର ଶୈଳେଶ କୁମାର ଗିରି କହିଛନ୍ତି, ଚିଠିକୁ ନୋଏଡା ପ୍ରଶାସନକୁ ଦିଆଯାଇଛି। ପ୍ରଶାସନ ଆଶ୍ଵାସନ ଦେଇଛନ୍ତି ଯେ ଚିଠି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପଠାଇ ଦିଆଯିବ।

ବୁଲନ୍ଦସହର ଖୁର୍ଜାରୁ ବିକେୟୁ(ଲୋକ ଶକ୍ତି)ର ୬୦/୭୦ରୁ ଅଧିକ ସଦସ୍ୟଙ୍କ ସହିତ ବୁଧବାର ଦଳିତ ପ୍ରେରଣା ସ୍ଥଳରେ ପ୍ରାୟ ୨୦୦ ଆନ୍ଦୋଳନକାରୀ ନୋଏଡା, ଗ୍ରେଟର ନୋଏଡା, ଅଲିଗଢ, ମୁଜଫରନଗର, ମେରଠ, ଫିରୋଜବାଦ ଆଦି ସ୍ଥାନରେ ନିଜର ସମର୍ଥକଙ୍କ ସହିତ ଏକତ୍ର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.