ଦେଶବାସୀଙ୍କୁ ଚାଷୀଙ୍କ ଆହ୍ୱାନ! ଡିସେମ୍ବର ୨୩ରେ ଓଳିଏ ରଖନ୍ତୁ ଉପବାସ, ୨୭ ତାରିଖ 'ମନକି ବାତ୍‌'ରେ ଘରେ ବଜାନ୍ତୁ ଥାଳି

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: ଚାଷୀଙ୍କ ଆନ୍ଦୋଳନ ରବିବାର ୨୫ତମ ଦିବସରେ ପହଞ୍ଚିଛି। ସଂଶୋଧିତ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଅସହ୍ୟ ଶୀତ ସତ୍ତ୍ୱେ ଦିଲ୍ଲୀର ବିଭିନ୍ନ ପ୍ରବେଶମାର୍ଗ ଅବରୋଧ କରି ଆନ୍ଦୋଳନରେ ଅଡି ରହିଛନ୍ତି। ଏଥିରେ ସରକାର ଚାଷୀଙ୍କ ଦାବି ଶୁଣୁନଥିବାରୁ ଚାଷୀମାନେ ରବିବାର  ୭ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଡିସେମ୍ବର ୨୧ ସୋମବାର ଆରମ୍ଭ ହେଉଥିବା ସପ୍ତାହ ୨୭ ତାରିଖରେ ଶେଷ ହେବ।  ପ୍ରଧାନମନ୍ତ୍ରୀ ତାଙ୍କର ବର୍ଷର ଶେଷ ବେତାର କାର୍ଯ୍ୟକ୍ରମ ‘ମନକି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।  ଏହି କାର୍ଯ୍ୟକ୍ରମ କାଳରେ ଘରେ ଥାଳି ବଜେଇବାକୁ ଚାଷୀମାନେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

ଚାଷୀଙ୍କ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦିବଙ୍ଗତ ଚାଷୀଙ୍କୁ ଶହିଦ ମାନ୍ୟତା ଦେବାକୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ସେହିପରି କାର୍ଯ୍ୟକ୍ରମ ଆରମ୍ଭ ଦିନ ସୋମବାର ଚାଷୀମାନେ ୨୪ ଘଣ୍ଟିଆ କ୍ରମିକ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।  

ଏହି କ୍ରମରେ ଚାଷୀମାନେ ଡିସେମ୍ବର ୨୩ ତାରିଖକୁ ‘କିଷାନ ଦିବସ’ ଭାବେ ପାଳନ କରିବେ ବୋଲି ଘୋଷଣା କରିଥିବା ବେଳେ ସେଦିନ ଲୋକଙ୍କୁ  ଚାଷୀଙ୍କ ଲାଗି ଗୋଟିଏ ଓଳା ଉପବାସ କରିବାକୁ କୃଷକ ନେତା ରାକେଶ ଟିକୈତ ନିବେଦନ କରିଛନ୍ତି। ସେହିପରି କୃଷକନେତା ଜଗଜିତ ସିଂଡାଲେୱାଲା ୨୭ ଡିସେମ୍ବର ମନକି ବାତ କାର୍ଯ୍ୟକ୍ରମ ବେଳେ ଲୋକଙ୍କୁ ଘରେ ଥାଳି ବାଡେଇବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.