ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ, ଜୋର ଧରିଲା କୃଷି ଆଇନ ପ୍ରତ୍ୟାହାର ଦାବି

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ଜିଦରେ ଅଡିଲେ ଚାଷୀ। ଆଇନ ପ୍ରତ୍ୟାହାର ଲାଗି ଏବେ ଆନ୍ଦୋଳନକୁ ଜୋରଦାର କରିବେ। ଆଇନରେ ସଂଶୋଧନ ଲାଗି ସରକାର ବୁଧବାର ଚାଷୀଙ୍କ ନିକଟକୁ ଲିଖିତ ପ୍ରସ୍ତାବ ପଠାଇଥିଲେ। ଏହା ଉପରେ ଚାଷୀମାନେ ବିସ୍ତୃତ ଆଲୋଚନା କରିବା ପରେ ଏବେ ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

ସରକାର ଆଇନରେ ଏମଏସପି, ମଣ୍ଡି ବ୍ୟବସ୍ଥା ଉପରେ ଚାଷୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ହେଲେ ଚାଷୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଏବେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବୋଲି କୃଷକନେତାମାନେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସୂଚିତ କରିଛନ୍ତି। ଚାଷୀ ଆଇନ ସଂଶୋଧନ ଲାଗି ରାଜରାସ୍ତାରେ ଖରାତରାରେ ବସି ନାହାନ୍ତି। ଯଦି ସରକାର ଚାଷୀଙ୍କ ଲାଗି ତାଙ୍କ ମନବୃତ୍ତିରେ ପରିବର୍ତ୍ତନ ନ କରନ୍ତି ତେବେ ଆନ୍ଦୋଳନ ଜୋରଦାର କରିବେ ବୋଲି କହିଛନ୍ତି। 

ଆଇନକୁ ନେଇ କୌଣସି ପ୍ରକାର ବୁଝାମଣା କରିବା ପରିସ୍ଥିତିରେ ନାହାନ୍ତି ସରକାର । ଅନ୍ୟପକ୍ଷରେ ସରକାର ଦେଉଥିବା ସଂଶୋଧନ ପ୍ରସ୍ତାବ ଚାଷୀଙ୍କ ଅନୁରୂପ ନୁହେଁ ବୋଲି ଚାଷୀ କହୁଛନ୍ତି। ସରକାର ଆଇନ ଦ୍ୱାରା ରାଜ୍ୟମାନଙ୍କ କ୍ଷମତା ହ୍ରାସ କରି ସମସ୍ତ କ୍ଷମତା ନିଜ ହାତକୁ ନେବାକୁ ଚାହୁଁଥିବା ବେଳେ ଆଇନ ଚାଷୀ ଲାଗି ନୁହେଁ କର୍ପୋରେଟଙ୍କ ଲାଗି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏଣୁ ଚାଷୀ  ଆର-ପାର ଲଢେଇପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନେ ଦେଶରୁ କୃଷି ସଂଶୋଧିତ ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.