ସରକାରଙ୍କ ମଧ୍ୟାହ୍ନ ଭୋଜନ ଆମନ୍ତ୍ରଣ ଅଗ୍ରାହ୍ୟ କଲେ କୃଷକ ନେତା, ଖାଇଲେ ଆନ୍ଦୋଳନ ସ୍ଥଳରୁ ଆସିଥିବା ଖାଦ୍ୟ
3/12/2020 at 7:36 PM

ନୂଆଦିଲ୍ଲୀ ୩।୧୨: ଜାତୀୟ ରାଜଧାନୀରେ ଆନ୍ଦୋଳନରତ ଚାଷୀଙ୍କ ପ୍ରତିନିଧିଙ୍କ ସହ ଗୁରୁବାର ୩ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି। ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀମାନେ କୃଷକନେତାଙ୍କୁ ମଧ୍ୟାହ୍ନ ଭୋଜନ ଲାଗି ଆମନ୍ତ୍ରଣ କରିଥିଲେ। ତେବେ ସେମାନେ ସରକାରଙ୍କ ମଧ୍ୟାହ୍ନ ଭୋଜନ ବଦଳେ ଆନ୍ଦୋଳନ ସ୍ଥଳରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଛନ୍ତି।

କେନ୍ଦ୍ରମନ୍ତ୍ରୀମାନଙ୍କ ସହ କୃଷକନେତାଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପ୍ରାୟ ମଧ୍ୟାହ୍ନ ବେଳକୁ ଆରମ୍ଭ ହୋଇଥିଲା। ଏଣୁ ମଧ୍ୟାହ୍ନ ଭୋଜନ ସାରି ଆଲୋଚନା କରିବାକୁ ସ୍ଥିରିକୃତ ହୋଇଥିଲା। ଏଥିରେ କୃଷକନେତାମାନେ ସହମତ ହୋଇଥିଲେ। ତେବେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଲାଗି ଡକାଯିବାରୁ ପ୍ରିତି ଭୋଜନ ବଦଳେ ଅସଲ ସମସ୍ୟା ସମାଧାନ କରନ୍ତୁ ବୋଲି ମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।

ଅପରପକ୍ଷରେ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ରୋଷେଇ କରିଥିବା ଖାଦ୍ୟ ନେଇ ବିଜ୍ଞାନଭବନ ପହଞ୍ଚିଥିବା ଭ୍ୟାନ ନିକଟକୁ ଯାଇ କୃଷକ ନେତା ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଖାଦ୍ୟ ଆମ ସାଥୀମାନେ ରୋଷେଇ କରିଥିବା ଲୋକ ସଂଘର୍ଷ ମୋର୍ଚ୍ଚା ସଭାପତି ପ୍ରତିଭା ସିନ୍ଦେ ଗଣମାଧ୍ୟମକୁ କହିଥିଲେ। ୪୦ଟି କୃଷକ ସଙ୍ଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ସେପଟେ ସଂଙ୍ଗଠନର ହଜାର ହଜାର ସଦସ୍ୟ ରାସ୍ତାକଡରେ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ଏଥିରେ ଆମେ କିପରି ସରକାରଙ୍କ ମଧ୍ୟାହ୍ନଭୋଜନ ଖୁସିରେ ଖାଇପାରିବୁ ବୋଲି ପ୍ରଶ୍ନ କରିଥିଲେ ସିନ୍ଦେ।

ସରକାରଙ୍କ କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ସିଙ୍ଗୁ ଓ ଟିକିରି ସୀମାରେ ଶୀତ କାକରରେ ଅହୋରାତ୍ର ଧାରଣାଦେଇଛନ୍ତି। ଚାଷୀ ପ୍ରତିନିଧିଙ୍କ ସହ ବିଜ୍ଞାନଭବନରେ ପଞ୍ଜାବର ସାଂସଦ ତଥା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ରେଳବାଇ, ବାଣିଜ୍ୟ ଓ ଖାଦ୍ୟ ପ୍ରଶଂସ୍କରଣ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଆଲୋଚନା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀମାନେ ସରକାର ଲାଗୁ କରିଥିବା ଆଇନ ବାତିଲ ଦାବିକୁ ପ୍ରତ୍ୟାଖାନ କରିଛନ୍ତି। ତେବେ ନୂଆକରି ଲାଗୁ ହୋଇଥିବା ଆଇନରେ ଚାଷୀ କେଉଁ ସବୁ ସଂଶୋଧନ ଚାହୁଁଛନ୍ତି ତାହା ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏ ନେଇ ଚାଷୀଙ୍କୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ ଆନ୍ଦୋଳନରତ ଚାଷୀମାନେ ବୁଧବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରି ଆଇନରୁ ଟ୍ରେଡ ଏଣ୍ଡ କମର୍ସ (ପ୍ରମୋସନ ଏଣ୍ଡ ଫେସିଲେସନ) ଆଇନ-୨୦୨୦, ଫାର୍ମର୍ସ (ଏମ୍ପାୱାରମେଣ୍ଟ ଏଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ ପ୍ରାଇସ୍ ଏସ୍ୟୋରେନ୍ସ ଏଣ୍ଡ ଫାର୍ମ ସର୍ଭିସ ଆକ୍ଟ-୨୦୨୦ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ଆକ୍ଟ ୨୦୨୦ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଛନ୍ତି।