କାନାଡା ଉପରେ ଭାରତ ଖପ୍ପା : ଜଷ୍ଟିନ୍ ଟ୍ରୁଡୋଙ୍କ ବୟାନକୁ ନେଇ ବିଦେଶ ମନ୍ତ୍ରାଳୟର ତୀବ୍ର ପ୍ରତିକ୍ରିୟା, ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଅନି
4/12/2020 at 4:57 PM

ନୂଆଦିଲ୍ଲୀ ୦୪/୧୨ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଚାଷୀ ଆନ୍ଦୋଳନକୁ ନେଇ ଦେଇଥିବା ଟିପ୍ପଣୀକୁ କଡା ନିନ୍ଦା କରିଛି ଭାରତ । ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ କାନାଡା ଉଚ୍ଚାୟୁକ୍ତଙ୍କୁ ଏ ବାବଦରେ ତାଗିଦ କରିଛି ବିଦେଶ ମନ୍ତ୍ରାଳୟ । ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି ଯେ, ଚାଷୀଙ୍କ ମୁଦ୍ଦାକୁ ନେଇ କାନାଡା ନେତାମାନଙ୍କର ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ଏବଂ ସେମାନେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅସ୍ତକ୍ଷେପ କରିବା ଉଚିତ ନୁହେଁ ।
ବିଦେଶ ମନ୍ତ୍ରାଳୟ ଉଚ୍ଚାୟୁକ୍ତଙ୍କୁ କହିଛି ଯେ, ଚାଷୀଙ୍କ ମୁଦ୍ଦାରେ କାନାଡା ପ୍ରଧାନମନ୍ତ୍ରୀ, କିଛି କ୍ୟାବିନେଟ୍ ମନ୍ତ୍ରୀ ଏବଂ ସାଂସଦଙ୍କ ଟିପ୍ପଣୀ ଆମର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି । ଏହାକୁ ଆଦୌ ସ୍ବୀକାର କରାଯିବ ନାହିଁ । ଯଦି ଆଗକୁ ଏଭଳି ଟିପ୍ପଣୀ ଜାରି ରହିବ ତେବେ ଭାରତ ଏବଂ କାନାଡା ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଭାବ ପଡିବ ।
କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ନେଇ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯେ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ରକ୍ଷା ପାଇଁ କାନାଡା ସର୍ବଦା ଛିଡା ହୋଇଛି । ସେ ତାଙ୍କ ବୟାନରେ ଚାଷୀଙ୍କୁ ସମର୍ଥନ କରିବା ସହିତ ଭାରତରେ ସ୍ଥିତି ଚିନ୍ତାଜନକ ଥିବା କହିଥିଲେ ।
ଗୁରୁ ନାନକ ଦେବଙ୍କ ୫୫୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅନଲାଇନ କାର୍ଯ୍ୟକ୍ରମ ଜରିଆରେ ଜଷ୍ଟିନ୍ ଟ୍ରଡୋ କହିଥିଲେ, ଭାରତରେ ଚାଷୀମାନଙ୍କ ଦ୍ବାରା ଆନ୍ଦୋଳନ କରାଯାଉଥିବା ଖବର ଆସିଛି । ସ୍ଥିତି ଚିନ୍ତାଜନକ, ଆମେ ମାନେ ଆମ ପରିବାର ଏବଂ ବନ୍ଧୁ ପରିଜନଙ୍କୁ ନେଇ ଚିନ୍ତାରେ ଅଛୁ । , ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ରକ୍ଷା ପାଇଁ କାନାଡା ସର୍ବଦା ଛିଡା ହୋଇଛି ବୋଲି ସେ ତାଙ୍କ ବୟାନରେ କହିଥିଲେ ଯାହାକୁ ନେଇ ଭାରତର ବିଦେଶ ମନ୍ତ୍ରାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।