କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀଙ୍କ ହଲ୍ଲାବୋଲ: ୩ରେ କେନ୍ଦ୍ର କୃଷିମନ୍ତ୍ରୀ ଓ ଚାଷୀ ସଂଗଠନର ଆଲୋଚନା

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮/୧୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ତେଜୁଛି ଆନ୍ଦୋଳନ । ଦିଲ୍ଲୀରେ ପ୍ରବେଶ କରିବା ପାଇଁ ହଜାର ହଜାର ଚାଷୀ ପଞ୍ଜାବ-ହରିୟାଣା ସୀମାରେ ଡେରା ପକାଇଛନ୍ତି। ଅନେକ ଚାଷୀ ଦିଲ୍ଲୀ ସୀମା ସ୍ଥିତ ନିରଙ୍କରି ଗ୍ରାଉଣ୍ଡରେ ଡେରା ପକାଇ ସାରିଲେଣି । ଏମାନେ ଲମ୍ବା ଲଢେଇ ପାଇଁ ରଣନୀତି କରି ଆସିଛନ୍ତି ।

ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀଙ୍କ ରଣହୁଙ୍କାର। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ହଲ୍ଲାବୋଲ । ସିନ୍ଧୁ ବର୍ଡରରେ ପ୍ରତିବାଦ ଏବଂ ବିକ୍ଷୋଭ ଜାରି ରହିଛି । ଗତକିଛି ଦିନ ଧରି ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଚାଷୀଙ୍କୁ ରୋକିବା ଲାଗି ପୋଲିସ ଲୁହବୁହା ଗ୍ୟାସ୍, ୱାଟର୍ କ୍ୟାନନ୍ ବ୍ୟବହାର ସହ ବ୍ୟାରିକେଡିଂ କରିଥିବା ବେଳେ, ଚାଷୀମାନେ ମଧ୍ୟ ପୋଲିସକୁ ଟେକା ପଥର ମାଡ କରିବା ସହ ବ୍ୟାରିକେଡ୍ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଗତକାଲି ଦିଲ୍ଲୀରେ ପ୍ରବେଶ ଲାଗି କେନ୍ଦ୍ର ସରକାର ଅନୁମତି ଦେବା ପରେ ଏବେ ବୁରାଡିର ନିରଙ୍କର ସମାବେଶ ପଡିଆରେ ପଞ୍ଜାବ ଏବଂ ହରିୟାଣାରୁ ଆସିଥିବା ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଗକୁ ରଣନୀତି କଣ ରହିବ ସେନେଇ ଆଲୋଚନା ଚଳାଇଛନ୍ତି ।

{"id":369202,"sizeSlug":"large"}

ବୁରାଡିର ନିରଙ୍କର ଗ୍ରାଉଣ୍ଡରେ ଜମା ହୋଇଥିବା ଚାଷୀମାନେ ନିଜ ସହ ରାସନ ଏବଂ ଆବଶ୍ୟକ ସାମଗ୍ରୀ ଆଣିଛନ୍ତି । ଶୀତରୁ ରକ୍ଷା ପାଇବା ଲାଗି ଖାସ ବ୍ୟବସ୍ଥା କରାଯାଇଛି । ଏଠାରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ମଧ୍ୟ ରହିଛି । ତେଣୁ ଚାଷୀ ଆନ୍ଦୋଳନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି । ଟ୍ରାଫିକ୍ ସ୍ଥିତିକୁ ଆଖିରେ ରଖି ନିରଙ୍କରି ଗ୍ରାଉଣ୍ଡ ଆଖପାଖର ସମସ୍ତ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତ ବନ୍ଦ କରିଛି ପୋଲିସ । ଚାଷୀ ସଂଗଠନ ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଡିସେମ୍ବର ୩ରେ ଆଲୋଚନା କରିବେ। ତୋମାର କହିଛନ୍ତି ‘ମୁଁ କୃଷକମାନଙ୍କୁ ନିବେଦନ କରୁଛି ସେମାନେ ଆନ୍ଦୋଳନ ଛାଡି କଥାବାର୍ତ୍ତା ପାଇଁ ଆସନ୍ତୁ।

{"id":369205,"sizeSlug":"large"}

ଚାଷୀ ସଂଗଠନ ଦିଲ୍ଲୀ ପହଞ୍ଚିବା ସହ ରାଜନୀତି ସରଗରମ ହୋଇଛି। ପ୍ରଥମେ ପଞ୍ଜାବ ଏବଂ ହରିୟାଣା ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରିଥିବା ଏକ ଫଟୋକୁ ନେଇ ରାଜନୀତି ଜୋର ଧରିଛି । ବୟସ୍କ ଚାଷୀଙ୍କ ଉପରକୁ ଜଣେ ପୋଲିସ ଲାଠି ଉଞ୍ଚାଇଥିବା ଫଟୋ ସେୟାର କରି ରାହୁଲ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଏହାପରେ ଏହାର ଭିଡିଓ ଜାରି କରିଛି ବିଜେପି । ଯେଉଁଥିରେ ଦେଖିବାକୁ ମିଳିଛି ପୋଲିସ ଜଣକ ବେଶ ଦୂରରୁ ଲାଠି ଦେଖାଇ ଡରାଉଛନ୍ତି । ସେପଟେ ହିଂସକ ଆନ୍ଦୋଳନ ନେଇ ପଞ୍ଜାବ ଚାଷୀଙ୍କ ବିରୋଧରେ ହରିୟାଣା ସରକାର ମାମଲା ରୁଜୁ କରିଛନ୍ତି । ଏପରିକି ଆନ୍ଦୋଳନକାରୀଙ୍କ ଭିତରେ ଖଲିସ୍ତାନୀ ଥିବା କହି ଖଟ୍ଟର ସରକାର ବିବାଦ ସୃଷ୍ଟି କରିଛନ୍ତି । ଆଗକୁ ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର ହେବ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.