୭ ଦିନରେ ଗଲାଣି ୪ କୃଷକଙ୍କ ଜୀବନ ତଥାପି ଜିଦ୍ରେ ଅଟଳ: ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବି
3/12/2020 at 12:30 PM

ନୂଆଦିଲ୍ଲୀ ୦୩/୧୨ : କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ପଛକୁ ହଟିବା ପାଇଁ ନାରାଜ। ବୁଧବାର ରାତିରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବହାଦୁରଗଡ଼ ସୀମାରେ ୬୦ ବର୍ଷ ବୟସ୍କ ଗୁରଜତ ସିଂହଙ୍କ ମୃତ୍ୟୁ ହୋଇଛି। ଗତ ୭ ଦିନ ମଧ୍ୟରେ ୪ ଚାଷୀଙ୍କ ଜୀବନ ଗଲାଣି। ଏହି ମାମଲାରେ ଭାରତୀୟ ଚାଷୀ ସଂଗଠନ ଏକତା ଉଗରାହାଂର ରାଜ୍ୟ ଉପାଧ୍ୟକ୍ଷ ଜୋଗୀନ୍ଦର ସିଂହ କହିଛନ୍ତି ଯେ ଗୁରଜତ ସିଂହଙ୍କ ଘର ବଛୋଆନାରେ ଏବଂ ସେ କୃଷି ଆଇନ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଓ ଖନୌରି ସୀମା ଦେଇ ଦିଲ୍ଲୀରେ ପହଞ୍ଚିଥିଲେ।

ନଭେମ୍ବର ୨୬ ତାରିଖରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବହାଦୁରଗଡ଼ ନିଆଯାଇଥିଲା। ପ୍ରାଥମିକ ଉପଚାର ପରେ ତାଙ୍କୁ ହିସାର ଓ ପରେ ଟୋହାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଯେ ଆନ୍ଦୋଳନରେ ଚାଷୀ ନିଜ ପ୍ରାଣ ବଳି ଦେଉଛନ୍ତି କିନ୍ତୁ ମୋଦି ସରକାର କିଛି ଶୁଣୁନାହାନ୍ତି। ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀ ପରିବାରକୁ କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ସେ ଦାବି କରିଛନ୍ତି।

ନିଜ ଘର ଛାଡି, ଏହିଭଳି ଥଣ୍ଡାରେ ନିଜ ଜୀବନକୁ ଖାତିର ନ କରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନରତ ଚାଷୀ ନିଜ ଜିଦରେ ଅଟଳ। ଚାଷୀ କହିଛନ୍ତି ଯେ ସେମାନେ ଲମ୍ବା ସଂଘର୍ଷ ପାଇଁ ପ୍ରସ୍ତୁତ। ତାଙ୍କ ଦବି ପୁରାଣ ନ ହେବ ଯାଏଁ ଚାଷୀ ପଛକୁ ହଟିବେନି ବୋଲି ସଫାସଫା କହିଛନ୍ତି। ମାସ ମାସ ଯାଏଁ ଯଦି ସେମାନଙ୍କୁ ରାସ୍ତାରେ ଜୀବନ ବିତାଇବାକୁ ପଡେ ତାହେଲେ ମଧ୍ୟ ରାଜି ଅଛନ୍ତି ବୋଲି କହିଛନ୍ତି। ଏଥିପାଇଁ ଚାଷୀ ରାସନରୁ ଆରମ୍ଭ କରି ଜରୁରୀ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ଧରି ଆସିଛନ୍ତି।