କେନ୍ଦ୍ରର ଆମନ୍ତ୍ରଣକୁ ଅସ୍ଵୀକାର କଲେ କୃଷକ ସଂଗଠନ, ଅପରାହ୍ନ ୪ଟାରେ ଆନ୍ଦୋଳନକାରୀଙ୍କ ସାମ୍ବାଦିକ ସମ୍ମିଳନୀ
29/11/2020 at 3:37 PM

ନୂଆଦିଲ୍ଲୀ ୨୯।୧୧: ନୂତନ କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନରୁ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାନ୍ତି କୃଷକ ସଂଗଠନ। କୃଷକ ସଂଘ ଅପରାହ୍ନ ୨ଟାରେ ପୁନର୍ବାର ବୈଠକ କରିଛନ୍ତି। ଏହି ବୈଠକରେ କଣ ନିଷ୍ପତ୍ତି ହୋଇଛି ସଂଘ, ଏହାର ସୂଚନା ଅପରାହ୍ନ ୪ଟାରେ ହେବାକୁ ଥିବା ସାମ୍ଵାଦିକ ସମ୍ମିଳନୀରେ ଦେବେ। ଏହା ପୂର୍ବରୁ ପୂର୍ବାହ୍ନ ୧୧ଟାରେ ପଞ୍ଜାବର ୩୦ କିଷାନ ସଂଘ ବୁରାଡି ପଡିଆକୁ ଯିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଥିଲେ, ଯଦି କୃଷକ ସଂଘ ପ୍ରସ୍ତାବ ଦିଆଯାଇଥିବା ସ୍ଥାନକୁ ନିଜର ଆନ୍ଦୋଳନ ସ୍ଥାନାନ୍ତର କରିବେ ତେବେ ସରକାର ତୁରନ୍ତ ଆଲୋଚନା ଲାଗି ପ୍ରସ୍ତୁତ। ଶାହାଙ୍କ ଏହି ପ୍ରବୋଧନା ପରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପଞ୍ଜାବର ୩୨ କିଷାନ ସଂଘକୁ ପ୍ରାରମ୍ଭିକ ଆଲୋଚନା କରିବାକୁ ଆମନ୍ତ୍ରଣ ଦେଇଥିଲେ। ଚିଠିରେ ଆନ୍ଦୋଳନକାରୀ କୃଷକଙ୍କୁ ସଡକରୁ ହଟି ବୁରାଡି ମଇଦାନକୁ ଚାଲି ଯିବାକୁ ଅନୁରୋଧ କରିଥିଲେ। ଅନ୍ୟପଟେ କୃଷକ ସଂଗଠନ ବିନା ସର୍ତ୍ତରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ନିଜ ଜିଦ୍ରେ ଅଟଳ ରହିଛନ୍ତି।
ଏହା ପୂର୍ବରୁ କୃଷକଙ୍କ ବୈଠକରେ କୃଷକ ସଂଘ ଅମିତ୍ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଥିଲେ। ଶାହା ପ୍ରସ୍ତାବ ଦେଇଥିଲେ ଯେ, ଯଦି କୃଷକ ବର୍ଡରରୁ ହଟି ଦିଲ୍ଲୀର ବୁରାଡିରେ ନିରଙ୍କାରୀ ସମାଗମ ପଡିଆକୁ ନିଜର ଆନ୍ଦୋଳନ ସ୍ଥାନାନ୍ତର କରିବେ ତେବେ ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା କୃଷକଙ୍କ ବୈଠକ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଗୃହ ମନ୍ତ୍ରୀ ଶାହାଙ୍କ ସର୍ତ୍ତ ନମାନିବାକୁ ନିଷ୍ପତ୍ତି ନିଆଯାଇଛି। କୃଷକ ସଂଘର କହିବା କଥା ସେମାନେ ବିନା ସର୍ତ୍ତରେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ।