ଆନ୍ଦୋଳନରେ ସାମିଲ ହେବାକୁ ପହଞ୍ଚିଥିଲେ ଜାମିଆର ଛାତ୍ର-ଛାତ୍ରୀ: ପ୍ରବଳ ବିରୋଧ କଲେ କୃଷକ, ପଠାଇ ଦେଲେ ଖାଲି ହାତରେ, କହିଲେ- ପଢାରେ ଧ୍ୟାନ ଦିଅ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ରବିବାର ୧୮ତମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଡିସେମ୍ବର ୮ରେ କୃଷକସଂଗଠନ ଏହି ଆଇନ ବିରୋଧରେ ଭାରତ ବନ୍ଦ ମଧ୍ୟ କରି ସାରିଛନ୍ତି। କୃଷକ ସଂଗଠନ ଆନ୍ଦୋଳନରେ ସାମିଲ ହେଉଥିବା ରାଜନୈତିକ ଦଳଗୁଡିକୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ରବିବାର ଦିଲ୍ଲୀ-ୟୁପି ବର୍ଡର ସ୍ଥିତ ଗାଜିପୁରରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିର କିଛି ଛାତ୍ର-ଛାତ୍ରୀ ପହଞ୍ଚିଥିଲେ। କିନ୍ତୁ କୃଷକମାନେ ଏହି ଛାତ୍ର-ଛାତ୍ରୀଙ୍କୁ ବିରୋଧ କରିଥିଲେ ଏବଂ ସେମାନଙ୍କୁ ଖାଲି ହାତରେ ପଠାଇ ଦେଇଥିଲେ।

ଏହି ପୂରା ଘଟଣାରେ କୃଷକ ନେତା ରାକେଶ ଟିକୈତ କହିଛନ୍ତି, ଜଣା ନାହିଁ ଏହି ଛାତ୍ର-ଛାତ୍ରୀ କଣ ପାଇଁ ଆସିଥିଲେ। ଛାତ୍ର-ଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରରେ ରହିବା ଉଚିତ୍। ସେମାନଙ୍କୁ ପାଠ ପଢାରେ ଧ୍ୟାନ ଦେବା ଉଚିତ୍। ଜଣା ନାହିଁ କୁଆଡେ ଚାଲି ଆସିଥିଲେ।

ଗାଜିପୁରରେ ୪ ରୁ ୫ ଜାମିଆ ଛାତ୍ର-ଛାତ୍ରୀ ଆନ୍ଦୋଳନରେ ସାମିଲ ହେବାକୁ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଥିଲା ଏବଂ ବାକି ଛାତ୍ରୀ ଥିଲେ। କୃଷକମାନେ ତୁରନ୍ତ ଏମାନଙ୍କୁ ବିରୋଧ କରିଥିଲେ। ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଯାଇଥିଲା। ଆନ୍ଦୋଳନରତ କୃଷକ ଶାନ୍ତିପୂର୍ଣ୍ଣ ଭାବେ ଉକ୍ତ ଛାତ୍ର-ଛାତ୍ରୀଙ୍କୁ ଏଠାରୁ ଫେରି ଯିବାକୁ କହିଥିଲେ। ଏହା ପରେ ପ୍ରଦର୍ଶନକାରୀଙ୍କ ପ୍ରବଳ ବିରୋଧ ପରେ ସେମାନେ ସେଠାରୁ ଚାଲି ଯିବାକୁ ବାଧ୍ୟ ହୋଇଥିଲେ।

କୃଷକ ନେତା କହିଛନ୍ତି, ଆମେ ସେମାନଙ୍କୁ ପଚାରିବାକୁ ଚେଷ୍ଟା କରିଥିଲୁ ଯେ, ସେମାନେ କେଉଁଠୁ ଆସିଛନ୍ତି। କିନ୍ତୁ ଛାତ୍ରୀମାନେ କୌଣସି ସିଧା ଉତ୍ତର ଦେଇନଥିଲେ। କ୍ୟାମେରାରେ କହିବାକୁ ଦୂରେଇ ରହୁଥିଲେ। ସେମାନଙ୍କ ବ୍ୟାଗରେ କିଛି ବ୍ୟାନର ମଧ୍ୟ ଥିଲା। କୃଷକଙ୍କ ଅନୁଯାୟୀ, ସେମାନେ ଜାମିଆ ମିଲିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟର ଛାତ୍ର-ଛାତ୍ରୀ ଥିଲେ। ଆମେ ସେମାନଙ୍କୁ ତୀବ୍ର ବିରୋଧ କରିଛୁ। ଛାତ୍ର-ଛାତ୍ରୀଙ୍କୁ ଆନ୍ଦୋଳନ କରିବା ଉଚିତ୍ ନୁହେଁ ବୋଲି କୃଷକ ନେତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.