ଦାବି ପାଇଁ ଚାଷୀ ପୁଣି ଦିଲ୍ଲୀ-ବାହାଦୂରଗଡ ବର୍ଡରରେ, ସୁରକ୍ଷା କଡ଼ାକଡ଼ି

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ ୧୦।୧୨: ଦିଲ୍ଲୀ-ହରିୟାଣା ବର୍ଡରର ଟିକରୀ ନିକଟରେ ପୁଣି ଆରମ୍ଭ ହୋଇଛି ଚାଷୀଙ୍କ ଆନ୍ଦୋଳନ। କୃଷକ ନେତା ଏମଏସପି, ଋଣ କ୍ଷମା ଓ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କହିଛନ୍ତି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବର୍ଡରରେ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ଓ ସିଆରପିଏଫ ମୁତୟନ କରାଯାଇଛି। ଏଠାରେ କୃଷକ ଆନ୍ଦୋଳନ ଚାଲୁଥିବା ବେଳେ ମିଳିତ କୃଷକ ମୋର୍ଚ୍ଚା ଡିସେମ୍ବର ୧୧ ତାରିଖ ରବିବାର ଦିନ ସିଂଘୁ ବର୍ଡରସ୍ଥିତ ରାଜୀବ ଗନ୍ଧି ଏଜୁକେସନ ସିଟି ନିକଟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରୁଛି।

ଗତବର୍ଷ କୃଷକ ଆନ୍ଦୋଳନ କାଳରେ ପ୍ରାଣ ହରାଇଥିବା ଚାଷୀଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଣୁ  ବହୁ ସଂଖ୍ୟାରେ ଚାଷୀ ଠୁଳ ହେବା ଆଶଙ୍କାରେ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସମେତ ଅନେକ ରାଜ୍ୟର ଚାଷୀ ଓ ଶହିଦ ଚାଷୀଙ୍କ ପରିବାର ମଧ୍ୟ ପହଞ୍ଚିବେ ବୋଲି ଭାରତୀୟ କିଷାନ ଏକତା ଅଧ୍ୟକ୍ଷ ଲଖବିନ୍ଦ୍ର ସିଂହ ଓଲଖ କହିଛନ୍ତି। ଏଥିଲାଗି ସେ ତାଙ୍କ ଟିମ ସହିତ ଚାଷୀମାନଙ୍କ ଗାଁକୁ ଯାଇ ନିମନ୍ତ୍ରଣ କରି ଆସିଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ୨୬ ନଭେମ୍ବର ୨୦୨୦ରେ ରାଜଧାନୀ ଦିଲ୍ଲୀର ସବୁ ସୀମାକୁ ଜାମ କରିଥିଲେ। ଏହି ଆନ୍ଦୋଳନର କେନ୍ଦ୍ର ସିଂଘୁ ବର୍ଡର ଥିଲା। ଏହି ଆନ୍ଦୋଳନକୁ କୃଷକ ନେତା ରାକେଶ ଟିକାୟତ ନେତୃତ୍ୱ ଦେଉଥିଲେ। ଏହି ଆନ୍ଦୋଳନ କାଳରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଚାଷୀଙ୍କ ଚାପରେ ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିଥିଲେ। ତଥାପି ଚାଷୀମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନ ସ୍ଥଳରେ ବିକ୍ଷୋଭ ଜାରି ରଖିଥିଲେ।

ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ଲାଗି ସରକାର ଏମଏସପି ଗ୍ୟାରେଣ୍ଟି ସୁନିଶ୍ଚିତ ନ କରିବେ, ମୃତ ଚାଷୀଙ୍କୁ ଶହିଦ ମାନ୍ୟତା ନ ଦେବେ, ଚାଷୀଙ୍କ ବିରୋଧରେ ରୁଜୁ ସବୁ ମାମଲା ପ୍ରତ୍ୟାହୃତ ନ ହେବ ଚାଷୀ ଆନ୍ଦୋଳନସ୍ଥଳ ଛାଡି କେଉଁ ଆଡେ ଯିବେନି ବୋଲି କହିଥିଲେ। ତେବେ ପରେ ଚାଷୀଙ୍କ ସମସ୍ତ ଦାବି ଉପରେ ବିଚାର କରିବେ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ହଟିଥିଲେ। ହେଲେ ସେମାନେ ରହି ରହି ନିଜ ଦାବି ଉଠାଉଥିଲେ। ଏହି କ୍ରମରେ ସେମାନେ ପୁଣି ଥରେ ଶନିବାର ଦିଲ୍ଲୀ-ହରିୟାଣା ବର୍ଡରରେ ଠୁଳ ହୋଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.