କୃଷକଙ୍କ ଉପରେ ଚଢିଗଲା ବିଜେପି ନେତାଙ୍କ ଗାଡି: ୩ ମୃତ, କାର ଜାଳିଦେଲେ ଉତ୍ତେଜିତ ଲୋକେ

Published By : Prameya-News7 Bureau | October 03, 2021 IST

ଲକ୍ଷ୍ମୀପୁର ଖିରି ୦୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ ରବିବାର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବଡ ହଙ୍ଗାମା ହୋଇଛି। ଉପ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ପାଇଁ  ରୁଣ୍ଡ ହୋଇଥିବା କୃଷକଙ୍କ ସହ ପ୍ରଥମେ ପୋଲିସ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସମୟରେ ବିଜେପି ନେତାଙ୍କ ଗାଡି ତଳେ କିଛି କୃଷକ ଚାପି ହୋଇ ଯାଇଛନ୍ତି। ଏଥିର ତିନି ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ କୃଷକ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଏବଂ ବିଜେପି ନେତାଙ୍କୁ ନିର୍ଧମୁ ଛେଚିଛନ୍ତି। ଭାରତୀୟ କୃଷକ ମୋର୍ଚ୍ଚା ଟ୍ଵିଟ୍ କରି କହିଛି ଯେ, ଗାଡି ମାଡି ଯିବାରୁ ତିନି ଜଣ କୃଷକଙ୍କ ମୃତ୍ୟୁ ଘଟିଛି।

ରବିବାର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲକ୍ଷ୍ମୀପୁର ଖିରିବାସୀଙ୍କୁ ୧୧୭ କୋଟି ଉପହାର ଦେବାକୁ ଆସିଥିଲେ। ଏହି ଘଟଣା ପରେ ୧୬୫ ପ୍ରକଳ୍ପର ଶିଳାନ୍ୟାସ୍‌ ଏବଂ ଲୋକାର୍ପଣ ମଧ୍ୟ ହୋଇଥିଲା। ଏହା ପରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି ଗାଁ ଅଭିମୁଖେ ଯାତ୍ରା କରିଥିଲେ। କୁହାଯାଉଛି ଯେ, ଏହି ମାର୍ଗରେ ପୂର୍ବରୁ ବହୁ ସଂଖ୍ୟାରେ କୃଷକ ରୁଣ୍ଡ ହୋଇଥିଲେ। ରାସ୍ତାରେ ଥିବା କୃଷକ ତିନି କୃଷି ଆଇନର ବିରୋଧ କରୁଥିଲେ। ଅଭିଯୋଗ ହୋଇଛି ଏହି ସମୟରେ ବିଜେପି ପତାକା ଲାଗିଥିବା ଗାଡି କୃଷକଙ୍କ ଉପରେ ଚଢି ଯାଇଥିଲା। ଏଥିରେ କୃଷକ ଗୁରୁତର ଆହତ  ହୋଇଥିଲେ। ଦୁର୍ଘଟଣା ଦେଖି କୃଷକ ଉତ୍ତେଜିତ ହେବା ସହ ହିଂସାତ୍ମକ ହୋଇ ଉଠିଥିଲେ।

କ୍ଷୁବ୍ଧ କୃଷକ ବିଜେପି ନେତାଙ୍କୁ ଗାଡିରୁ  ବାହାରି କରି ନିର୍ଧୁମ ପିଟିଥିଲେ। ଦୁଇଟି ଗାଡି ଭଙ୍ଗାରୁଜା କରିବା ସହ କିଛି ଗାଡିରେ ନିଆଁ ଲଗାଇଥିଲେ। ଆକ୍ରୋଶିତ କୃଷକଙ୍କୁ ଦେଖି ଉପ ମୁଖ୍ୟମନ୍ତ୍ରୀ ରାସ୍ତାରୁ ହିଁ ଫେରି ଯାଇଥିଲେ। ହିଂସାକାଣ୍ଡ ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚି କୃଷକଙ୍କୁ ଘଉଡାଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.