ମଣ୍ଡିରେ ଅଚଳାବସ୍ଥା ପାଇଁ ଚିନ୍ତାରେ ଚାଷୀ; ଟୋକନ ପାଇଥିଲେ ବି ବିକ୍ରି କରିପାରୁ ନାହାନ୍ତି ଧାନ
15/01/2023 at 5:22 PM

ଧର୍ମଗଡ଼ ୧୫/୦୧: ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ। ନିଜ ଅଞ୍ଚଳରେ ଥିବା ଧାନ ମଣ୍ଡି ବନ୍ଦ ଥିବାରୁ ଏପରି ଅଚଳାବସ୍ଥା ଦେଖାଦେଇଛି। ଏପରି ଅଭାବନୀୟ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ଗୋଲାମୁଣ୍ଡା ଘୋଟିଆ ମଣ୍ଡିରେ ଦେଖାଦେଇଛି। ସେଠାରେ ହଜାର ହଜାର କ୍ୱିଣ୍ଟାଲ୍ ଧାନ ଖୋଲା ଆକାଶ ତଳେ ପଡ଼ିରହିଥିବା ବେଳେ କୃଷକମାନେ ମଧ୍ୟ ଶୀତ କାକରରେ ଧାନକୁ ଜଗିରହିଛନ୍ତି। କିନ୍ତୁ ଏବେ ସୁଦ୍ଧା ସେଠାରେ କୃଷି ସେବା ସମବାୟ ସମିତିର କର୍ମଚାରୀ କିମ୍ୱା ମିଲର୍ସମାନଙ୍କର ଦେଖା ମିଳୁନାହିଁ।
ଏପରି ମସସ୍ୟା ପାଇଁ କଳାହାଣ୍ଡି ଜିଲ୍ଲାରେ ଧାନଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧର୍ମଗଡ଼ ମଣ୍ଡି, ଗୋଲାମୁଣ୍ଡା ଘୋଟିଆ ମଣ୍ଡିରେ ୧୫ ଦିନ ହେଲା ଚାଷୀମାନେ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ମଧ୍ୟ ଏବେ ଯାଏଁ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ କରିଛନ୍ତି। ଆଉ ଏହି ଧାନ କେବେ ବିକ୍ରି ହେବ ତାର କୌଣସି ଖୋଜ ଖବର ନାହିଁ।

ଟୋକେନ ପାଇଥିବା ଚାଷୀ ୨୪ ଘଣ୍ଟା ମଧ୍ୟରେ ଧାନ ବିକ୍ରି କରିପାରିବେ ବୋଲି ସରକାର ଆଶ୍ୱାସନା ଦେଇଥିଲେ। କିନ୍ତୁ ବାସ୍ତବରେ ଧର୍ମଗଡ଼ ଅଞ୍ଚଳରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକିପାରୁନି ଚାଷୀ। ସେପଟେ ଧାନ ବିକ୍ରି ହେବକି ନାହିଁ କିମ୍ୱା ଟୋକନର ଅବଧି ସରିବା ଭୟରେ ବାଧ୍ୟ ହୋଇ ଚାଷୀମାନେ ୮କେଜି କଟନିରେ ମିଲର୍ସମାନଙ୍କୁ ଧାନ ବିକ୍ରି କରୁଛନ୍ତି। ଏନେଇ ବିଭାଗୀୟ ଯୋଗାଣ ଅଧିକାରୀଙ୍କୁ ଯୋଗାଯେଗ କରିବାରୁ ସେ କହିଛନ୍ତି ଧାନ ଠିକ ଲିଫଟିଙ୍ଗ ହେଉଛି ଯେଉଁଠି ବି ଅଭିଯୋଗ ଆସୁଛି ତୁରନ୍ତ ସେହିଯାଗାକୁ ଗାଡ଼ି ପଠାଇ ଲିଫଟିଙ୍ଗ କରାଯାଉଛି। ଅନ୍ୟପଟେ କଳାହାଣ୍ଡିରେ ସବୁ ମଣ୍ଡିରେ ମିଲର୍ସରାଜ ପାଇଁ ଅଚଳାବସ୍ତା ଲାଗିରହିଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ନିଦାବିଷ୍ ସାଜିଛି।