ଚାଷୀ ହତାଶ; ମିଳିପାରୁନି ବନ୍ୟାରେ ନଷ୍ଟ ହୋଇଥିବା ଚାଷ ଜମିର କ୍ଷତି ପୁରଣ
7/09/2022 at 11:05 PM

କୋଣାର୍କ ୦୭/୦୯: ବନ୍ୟାରେ ପୁରୀଜିଲ୍ଳା ଗୋପ ବ୍ଲକର ୯ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା। ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଉଜୁଡ଼ି ଯାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛିl ପ୍ରଳୟଙ୍କରୀ ବନ୍ୟା ଚାଷୀର ସବୁ ସ୍ବପ୍ନକୁ ଉଜାଡ଼ି ଦେଇଛି। ଧାନ ସହିତ ଅନେକ ପନିପରିବା ମଧ୍ୟ ଉଜୁଡ଼ି ଯାଇଥିଲା l ୧୫ ଦିନ ବନ୍ୟା ଜଳରେ ଶହ ଶହ ହେକ୍ଟର ଚାଷଜମିରେ ବନ୍ୟା ଜଳ ବୁଡି ରହିବା ପରେ ଚାଷ ଜମିରେ ସବୁ ତଳି ସଢି ପଚି ନଷ୍ଟ ହୋଇ ଯାଇଛି।
ଏବେ ବନ୍ୟା ଜଳ ଛାଡ଼ିବା ପରେବି କ୍ଷତିପୁରଣ ମିଳିପାରୁନାହିଁ। ଖବର ଅନୁସାରେ, ଗତ ଅଗଷ୍ଟ ମାସ କୁଶଭଦ୍ରା ଓ ଧନୁଆ ନଦୀ ବନ୍ୟା ଜଳରେ ଗୋପ ବ୍ଲକ ର ୧୧ଟି ପଞ୍ଚାୟତର ୫୨ ଗାଁରେ ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ଜଳ ପଶିଥିଲା। ୧୫ ଦିନ ଏହି ବନ୍ୟା ଜଳ ଚାଷ ଜମିରେ ରହିବା ଫଳରେ ଚାଷୀ ରୋଇ ଥିବା ତଳି ପଚିସଢି ଯାଇଥିଲା। ବନ୍ୟା ଜଳ ଛାଡ଼ିବା ପରେ ଚାଷୀମାନେ ଚିନ୍ତାରେ ଅଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ଗୋପ ତହସିଲ, କୃଷି ବିଭାଗ, ଗୋପ ବ୍ଲକ ଓ ଉଦ୍ୟାନ ବିଭାଗ ପକ୍ଷରୁ ଏକ ମିଳିତ ଟିମ୍ କରାଯାଇ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଅନେକ ଚାଷୀ ବିଭାଗୀୟ ଅଧିକାରୀଙ୍କ ପାଖକୁ ଯାଇ ଅଭିଯୋଗ କରିଛନ୍ତି l
ଏପଟେ ଗୋପ ବ୍ଲକର ୫୨ଟି ଗାଁ ପାଖରେ ଥିବା ସମସ୍ତ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୩ ହଜାର ୧୨୩ ହେକ୍ଟର ଚାଷଜମି ର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିବାର ସୂଚନା ରହିଛି l ଗୋପ ବ୍ଲକର ରାହାଙ୍ଗଗୋରଡା, ଡଭାର, ନୁଆଖୋଲମରା, ଗଣେଶ୍ୱରପୁର, ଅଣ୍ତରା-ଇଛାପୁର ପଞ୍ଚାୟତରେ ଧାନ ଜମି କରାଯାଇଥିବା ଧାନଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବେଦପୁର, ନାଗପୁର, ଗଡଭିଙ୍ଗୁରା, ବନ୍ତଳିଗ୍ରାମ, କୁଆଁପଡା,ତରକୋର ପଞ୍ଚାୟତରେ ମଧ୍ୟ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜଳସେଚିତ ଧାନ ଚାଷ ଏକର ପ୍ରତି ୧୩,୫୦୦ ଟଙ୍କା ଅଣ ଜଳସେଚିତ ଚାଷ ଜମି ଏକର ପିଛା ୬,୫୦୦ ଟଙ୍କା ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। କିନ୍ତୁ ବନ୍ୟା ଛାଡିବା ପ୍ରାୟ ୨୧ ଦିନ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କୁ କ୍ଷତି ପୂରଣ ମିଳିପାରୁନାହିଁ।