ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫/୧୨: ଦଶମ ଦିନରେ ଚାଷୀ ଆନ୍ଦୋଳନ। କୃଷକ ସଂଗଠନ ଓ ସରକାଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆଜିର ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ପୁଣି ସରକାର-କୃଷକ ଆଲୋଚନା ଡିସେମ୍ବର ୯ରେ ହେବ। ସେପଟେ ବୈଠକ ଜାରି ରହିଥିବା ବେଳେ କୃଷକ ନେତା ଶାନ୍ତ ହୋଇ ବସିପଡ଼ିଥିବା ବେଳେ ମନ୍ତ୍ରୀମାନେ ନିଜ ନିଜ ଭିତରେ ଆଲୋଚନା ଜାରି ରଖିଥିଲେ । କିନ୍ତୁ କୌଣସି ସମାଧାନ ବାହାରି ପାରିନଥିବା ବେଳେ ସରକାର କୃଷକମାନଙ୍କୁ ଆହୁରି ସମୟ ମାଗିଥିବା ଜଣାପଡ଼ିଛି। ସେପଟେ ଚାଷୀ ନେତା କେବଳ ହଁ ବା ନାରେ ଉତ୍ତର ଚାହୁଁଛନ୍ତି ବୋଲି ସରକାରଙ୍କୁ ସଫା ସଫା ଜଣାଇ ଦେଇଛନ୍ତି।

 କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ସରକାରର ଅନ୍ୟ ପ୍ରତିନିଧି ବୈଠକରେ ଛପସ୍ଥିତ ଥିଲେ । କୃଷକଙ୍କୁ  ସମ୍ବୋଧନ କରି ତୋମାର କହିଥିଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ନୂଆ ୩ କୃଷି ନିୟମ ପ୍ରତ୍ୟାହାର କରାଯିବ ନାହିଁ। କିନ୍ତୁ ନିୟମ ସଂଶୋଧନ ସପକ୍ଷରେ ସରକାର ଅଛନ୍ତି ବୋଲି ତୋମାର କହିଥିଲେ ।

ସରକାର କୃଷି ନିୟମ ସଂଶୋଧନ ପାଇଁ ରାଜି ଥିବା ବେଳେ କୃଷକ ସଂଗଠନ କିନ୍ତୁ କୌଣସ ପ୍ରକାର ସଂଶୋଧନ ନୁହେଁ ବରଂ ପ୍ରତ୍ୟାହାର ପାଇ ଅଡ଼ି ବସିଛନ୍ତି। ୩ଟି ନିୟମ ପ୍ରତ୍ୟାହାର ହେଉ ବୋଲି କୃଷକ ଜିଦ ଧରିଥିଲେ ।

ଦିଲ୍ଲୀ ବିଜ୍ଞାନ ଭବନରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଶନିବାର ଅପରାହ୍ନ ୨.୩୦ରୁ ବୈଠକ ଚାଲିଥିଲା । ମିଳିଥିବା ସୂଚନା ଅନୁସାରେ ୪୦ କୃଷକ ନେତାଙ୍କ ସହ ପଞ୍ଚମ ପର୍ଯ୍ୟାୟର ପ୍ରାରମ୍ଭିକ ଆଲୋଚନାରେ କୃଷି ନିୟମ ପରିବର୍ତ୍ତନକୁ ସ୍ବାଗତ କରିଥିଲେ ତୋମାର। କୃଷକ ନେତାଙ୍କ ସହ ସରକାର ଖୋଲା ମନରେ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.