ଢ଼େଙ୍କାନାଳ ଜିଲ୍ଲା ଯୋଗାଣ ବିଭାଗର ଖାମଖିଆଲି ମନୋଭାବ: ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ

Published By : Prameya-News7 Bureau | February 22, 2021 IST

ଢ଼େଙ୍କାନାଳ୨୨/୨: ଜିଲ୍ଲା ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ସହ ଧାନ କିଣାରେ ଅନିୟମିତତା। ଏ ନେଇ ଚାଷୀଙ୍କ ମହଲରେ କୁହୁଳିବାରେ ଲାଗିଛି ଅସନ୍ତୋଷ। ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଉତ୍ତେଜନା। ଢ଼େଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ। ଦୀର୍ଘ ୨ ଘଣ୍ଟା ଧରି ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଚାଷୀ।

ଢ଼େଙ୍କାନାଳ ଜିଲ୍ଲା ଯୋଗାଣ ବିଭାଗର ଅବହେଳା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ପଟେ ଧାନ କିଣାରେ ଅବ୍ୟବସ୍ଥା ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।  ଏପରି କି ଜିଲ୍ଲାର ଗଁନ୍ଦିଆ ବ୍ଲକର କାଶୀପୁର, ବାଇସିଂହା, କରମୂଳ, ସନ୍ଥପୁର, ଗଁନ୍ଦିଆ, ଜୋରନ୍ଦା ଓ ଷଢଙ୍ଗୀ , ସଦର ବ୍ଲକର ଘଟିପିରି, ପୁରୁଣା ଅମଙ୍ଗ, ଓଡ଼ପଡା ବ୍ଲକର ଗଦାଶିଳା, ଇଣ୍ଡିପୁର ଆଦି ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳ ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଗୁହାରୀ କରିବାକୁ ଯାଇଥିଲେ। ମାତ୍ର ଅଧିକାଂଶ ଦିନ ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତି ଯୋଗୁଁ ଚାଷୀ ନିରାଶ ହୋଇ ଫେରି ଆସିଥିଲେ।

 ଶେଷରେ ସୋମବାର ଚାଷୀ ବାଧ୍ୟ ହୋଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୫ ନମ୍ବର ଜାତୀୟ ରାଜପଥରେ ବସି ରହିଥିଲେ। ଫଳରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାର ଗାଡି ମଟର ଠିଆ ହୋଇ ରହିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏ ସଂପର୍କରେ ଟାଉନ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଜାତୀୟ ରାଜପଥରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.