ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ, ଦାବି ନଶୁଣିଲେ ଆତ୍ମହତ୍ୟା ଚେତାବନୀ
19/01/2023 at 11:32 AM

ଭଦ୍ରକ ୧୯/୦୧: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନୀ କରୁଛି ନବ ନିର୍ମାଣ କୃଷକ ସଂଗଠନ । ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କଟନୀ, ଛଟନୀକୁ ନେଇ ବିକ୍ଷୋଭ ପ୍ରଦର୍ଶନୀ କରୁଛି ଚାଷୀ । ଜିଲ୍ଲାର ଚାଷୀ ମାନେ ମଣ୍ଡିରେ ଧାନ ଟୋକନ ପାଇଥିଲେ ମଧ୍ୟ ଧାନ ଦେବାର ବିଳମ୍ବ ହେଉଛି ।
ଚାଷୀ ଧାନ କୁଇଣ୍ଟାଲ ପ୍ରତି ୮ କିଲୋରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟନୀ କରାଯାଉଛି । ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନୀ କରାଯାଉଛି । ଚାଷୀମାନେ ଧାର, କରଜ କରିବା ସହ ସୁନା ବିକି ଧାନ ଚାଷ କରିଥିଲେ । ଧାନ ମଣ୍ଡିରେ ବିକ୍ରୟ କରୁଥିବା ବେଳେ ଏବେ ସରକାର ଧାନ କଟଣୀ, ଛଟଣୀ କରୁଛି । ଯାହା ଫଳରେ ଚାଷୀ ମାନେ ଧାନ ବସ୍ତା ରଖି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲା ପ୍ରଶାସନ ତାଙ୍କ ଦାବି ନ ଶୁଣିଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ।
ସେହିପରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏହି ସବୁ ସମସ୍ୟା ଜଣାଇଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ ଜିଲ୍ଲା ପ୍ରଶାସନ । ତେଣୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନୀ କରୁଛି ନବନିର୍ମାଣ କୃଷକ ସଂଗଠନ । ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତାଙ୍କ ଦାବି ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ର ସଦସ୍ୟ କହିଛନ୍ତି ।