ଦିଲ୍ଲୀ ଆନ୍ଦୋଳନରୁ ଫେରି ବିଲରେ ବିଷ ପିଇଲେ ବଠିଣ୍ଡା ଚାଷୀ

Published By : Prameya-News7 Bureau | December 20, 2020 IST

ବଠିଣ୍ଡା ୨୦।୧୨:  କୃଷି ସଂଶୋଧିତ ଆଇନ ୨୦୨୦ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୫ ତମ ଦିବସରେ ପହଞ୍ଚିଛି। ଆଇନ ପ୍ରତ୍ୟାହାର ଲାଗି ଚାଷୀମାନେ ଦାବି କରୁଛନ୍ତି। ତେବେ ସରକାର ଚାଷୀଙ୍କ ଦାବିକୁ ଆଖିମୁଦି ଦେଇଛନ୍ତି। ଏଥିରେ ପଞ୍ଜାବର ଜନୈକ ଚାଷୀ ଦିଲ୍ଲୀ କୃଷକ ଆନ୍ଦୋଳନରୁ ଫେରି ନିଜ କ୍ଷେତରେ ଆତ୍ମହତ୍ୟା କରିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ଚାଷୀଙ୍କୁ ପୋଲିସ ଗୁରୁଲାଭ ସିଂହ ଭାବେ ଚିହ୍ନଟ କରିଛି ଓ ତାଙ୍କ ବୟସ ମାତ୍ର ୨୨ ବର୍ଷ। ଗୁରୁଲାଭ କୃଷି ଆଇନ ବିରୋଧରେ ବିକ୍ଷୋଭ କରିବାକୁ ଦିଲ୍ଲୀଯାଇଥିଲା। ସେଠାରୁ ଶନିବାର ବିଳମ୍ବିତ ରାତ୍ରିରେ ଘରକୁ ଫେରିଥିଲେ। ସକାଳୁ ଉଠି ଘର ପାଖ ଖେତକୁ ଯାଇଥିବା ବେଳେ ସେଠାରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗୁରୁଲାଭ ବିଷ ଖାଇଥିବା ଜଣାପଡିବା ପରେ ପରିବାର ଲୋକେ ଗାଁ ଲୋକଙ୍କ ଦ୍ୱାରା ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଭାଗତାଭାଇ ଥାନା ପୋଲିସ ଚାଷୀଙ୍କ ଶବ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଗୁରୁଲାଭଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ଦେଶରେ ନୂଆ କୃଷି ନୀତି ଆସିବା ପରଠାରୁ ପଞ୍ଜାବର ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି। ଏହା ପୂର୍ବରୁ ଆନ୍ଦୋଳନ ସ୍ଥଳରେ ହରିୟାଣା ଗୁରୁଦ୍ୱାରର ଜନୈକ ସନ୍ଥ ବାବା ରମ ସିଂହ ନିଜକୁ ନିଜେ ପିସ୍ତଲରୁ ଗୁଳି କରି ହତ୍ୟା କରିଥିଲେ। ଆନ୍ଦୋଳନ ଦୀର୍ଘ ହୋଇ ଚାଲିଥିବା ବେଳେ ସରକାର ସମାଧାନର ବାଟ ବାହାର କରୁ ନାହାନ୍ତି। ଏଣୁ ଚାଷୀଙ୍କ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଲାଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.