ଟୋକନ ଥାଇ ବି ବିକ୍ରି ହେଉନି ଧାନ; ଯୋଗାଣ ଅଧିକାରୀଙ୍କୁ ଘେରି ଜବାବ ମାଗିଲେ ଚାଷୀ
13/02/2023 at 6:20 PM

ଢେଙ୍କାନାଳ ୧୩/୦୨: ଚଳିତ ବର୍ଷ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି। ଯାହାକୁ ନେଇ ଢେଙ୍କାନାଳରେ ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ସୋମବାର ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଓ ସନ୍ଥପୁର ଇତ୍ୟାଦି ଅଞ୍ଚଳର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି। ପରେ ଏନଇ ସେମାନେ ଯୋଗାଣ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପକ୍ଷରୁ ଅନଲାଇନରେ ଦିଆଯାଉଥିବା ଟୋକନ ଏକ ପ୍ରହସନ ପାଲଟିଛି। ମିଲର, ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଅବଧି ଶେଷ ହେବାକୁ ବସିଲେବି ଚାଷୀଙ୍କ ଧାନ ନିଆହୋଇ ନାହିଁ। ଫଳରେ ଚାଷୀ ଟୋକାନ ପାଇଲେ ମଧ୍ୟ ତାହା କିଛି କାମରେ ଆସୁନି। ଅନ୍ୟପଟେ ଧାନ ମଣ୍ଡିରେ ଓଜନବେଳେ କାଣ୍ଟଛାଣ୍ଟନୀତି ଯୋଗୁଁ ଚାଷୀମାନେ କ୍ଷୁବ୍ଧ ହୋଇଛନ୍ତି।ସେଥିପାଇଁ ଚାଷୀମାନେ ସପ୍ଲାଏ ଇନ୍ସପେକ୍ଟରଙ୍କୁ ଘେରି ତାଙ୍କୁ ଏସବୁ ସମସ୍ୟାର ଜବାବ ମାଗିଥିବା ଦେଖିବାକୁ ମିଳିଛି।