ଅନ୍ନ ବର୍ଜନ କଲେ ଅନ୍ନଦାତା: ୧୯ ଦିନରେ କୃଷକ ଆନ୍ଦୋଳନ, ସାମିଲ ହେବେ ଆହୁରି ୧୦ ହଜାର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ ୧୪/୧୨ : ୧୯ ଦିନ ବିତିଲା । ଦିଲ୍ଲୀ ସୀମା ସିଂଘୁ ବର୍ଡର ଓ ଟିକ୍ରି ବର୍ଡରରେ ଡେରା ଜମାଇ ବସିଛନ୍ତି କୃଷକ । ଆନ୍ଦୋଳନ ଚରମ ସୀମାରେ ପହଞ୍ଚି ଥିବା ବେଳେ ଅନ୍ନ ବର୍ଜନ କରିଛନ୍ତି କୃଷକ । ସକାଳ ୮ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନରେ ବସିଥିଲେ ଚାଷୀ । ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଅନଶନ କରିଛନ୍ତି ଚାଷୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ସମର୍ଥନରେ ଅନଶନରେ ବସିଛନ୍ତି । ରାଜସ୍ଥାନ ପଟୁ ଆହୁରି ୧୦ ହଜାର ଚାଷୀ ଦିଲ୍ଲୀମୁହାଁ ହୋଇଥିବା ବେଳେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୋଟାମୋଟି କୃଷକ ଆନ୍ଦୋଳନକୁ ନେଇ ଏବେ ରାଜନୀତି ବି ତେଜ୍ ହୋଇଛି ।

{"id":377412,"sizeSlug":"large","linkDestination":"none"}

ଅନ୍ନ ବର୍ଜନ କଲେ ଅନ୍ନଦାତା। ଧାରଣାରେ ବସିଲେ ଆପ ନେତା। କମୁନି, କି ଥମୁନି, ଦିନକୁ ଦିନ ତୀବ୍ର ହେଉଛି କୃଷକ ଆନ୍ଦୋଳନ।ମାରାଥନ ବୈଠକ ଏବଂ ସରକାରଙ୍କ ସମସ୍ତ ରଣକୌଶଳ କାମ ଦେଉନି । ୧୯ ଦିନରେ ଏଣ୍ଟ୍ରି କରିଛି ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଅଭିଯାନ । ୨୦୧୧ର ଆନ୍ନା ହଜାରେଙ୍କ ଆଣ୍ଟି-କରପସନ୍ ମୁଭମେଣ୍ଟ ପରି ଚାଷୀଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ବଗ ବେଗରେ କଙ୍କଡ଼ା ପଞ୍ଝା ସଦୃଶ ହେଲାଣି। ସରକାରଙ୍କୁ ନୁଆଇଁବାକୁ କୃଷକ ଅଡି ରହିଛନ୍ତି । ଆଜି ସକାଳ ୮ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀମାନେ ଅନଶନରେ ବସିଥିବା ବେଳେ ଏଥିରେ ଆଜି ସାମିଲ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆପ୍ ବିଧାୟକମାନେ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ନେତୃତ୍ବରେ ପ୍ରତୀକାତ୍ମକ ଧାରଣାରେ ବସିଥିଲେ।

{"id":377416,"sizeSlug":"large","linkDestination":"none"}

ଗତକାଲି ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ଚାଷୀଙ୍କୁ ରୋକାଯିବାରୁ ସେମାନେ ସେହିଠାରେ ଧାରଣାରେ ବସିପଡ଼ିଥିଲେ। ରାଜସ୍ଥାନ ପଟୁ ଆହୁରି ୧୦ ହଜାର ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସୁଛନ୍ତି। ସିଂଘୁ ବର୍ଡରରେ ଆହୁରି ୨ ହଜାର ଟ୍ରାକ୍ଟର ଆନ୍ଦୋଳନରେ ସାମିଲ ହେବା ପାଇଁ ପହଞ୍ଚିବ। ଆନ୍ଦୋଳନରତ ଚାଷୀମାନେ ଦିଲ୍ଲୀ-ୟୁପି ବୋର୍ଡରର ଗାଜିପୁର ଠାରେ ଜାତୀୟ ରାଜପଥ-୨୪କୁ ଅବରୋଧ କରିଥିଲେ । ଯେଉଁଥିପାଇଁ ରାସ୍ତାର ଦୁଇ ପାର୍ଶରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଆଉ ଏହେଉଛି ଆମ ରାଜ୍ୟର ଦୃଶ୍ୟ । କଟକରୁ ସମ୍ବଲପୁର, ଖୋର୍ଦ୍ଧାରୁ କଳାହାଣ୍ଡି ସବୁଠି ଆନ୍ଦୋଳନରତ କୃଷକ । ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲା ମୁଖ୍ୟାଳୟ ଆଗରେ ସେମାନେ ଧାରଣା ଦେଇଛନ୍ତି ।

{"id":377417,"sizeSlug":"large","linkDestination":"none"}

ଚାଷୀଙ୍କ ଆନ୍ଦୋଳନ କେବଳ ଚାଷୀଙ୍କ ଦାବି ପୂରଣ ଭିତରେ ସୀମିତ ହୋଇ ରହିନାହିଁ। ଏହାକୁ ନେଇ ରାଜନୀତି ମଧ୍ୟ ଜୋରଦାର ହେବାରେ ଲାଗିଛି। ଚାଷୀଙ୍କ ଭିତରେ ଖଲିସ୍ତାନୀ ପ୍ରବେଶ କରି ଦେଶ ବିରୋଧୀ ସ୍ବର ସୃଷ୍ଟି କରିଛନ୍ତି। ଏ ହେଉଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ବିଟ୍। ଚାଷୀ ଆନ୍ଦୋଳନ ପଛରେ ହୀନ ରାଜନୀତି ଚାଲିଥିବା ସେ ଅଭିଯୋଗ କରିଛନ୍ତି। ସେପଟେ କେନ୍ଦ୍ର ସରକାରଙ୍କ କୃଷୀ ଆଇନକୁ ସମର୍ଥନ କରି ମଧ୍ୟ କିଛି କୃଷକ ସଂଗଠନ ସାମ୍ନାକୁ ଆସିଛନ୍ତି। କୃଷି ଆଇନ ସମର୍ଥନରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ସେମାନେ ବି ଏଲାନ କରିଛନ୍ତି। ସର୍ବ ଭାରତୀୟ କୃଷକ ସଂଯୋଜନା କମିଟି ପକ୍ଷରୁ ତାମିଲନାଡୁ, ତେଲଙ୍ଗାନା, ମହାରାଷ୍ଟ୍ର ଓ ବିହାରର ସଦସ୍ୟମାନେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିବା ସହ ତିନିଟି ଯାକ କୃଷି ବିଲ୍କୁ ସମର୍ଥନ ଜଣାଇଛନ୍ତି।
ଏସବୁ ଭିତରେ ବି ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ ବୋଲି ଆଶା ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.