କୃଷି ଆଇନ ବିରୋଧରେ ଆଜି ଅନ୍ନଦାତାଙ୍କ ଅନଶନ, ଉପାସ ରହି ଧାରଣା ଦେବେ କେଜ୍ରିଓ୍ୱାଲ

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ,୧୪/୧୨:  କୃଷି ଆଇନକୁ ବିରୋଧ କରି ସୋମବାର ଅନ୍ନଦାତାମାନେ ଆମରଣ ଅନଶନ କରିବେ । କାରଣ ଆନ୍ଦୋଳନ ନେଇ ସରକାର ଓ କୃଷକଙ୍କ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ । ଏହା ମଧ୍ୟରେ କୃଷକଙ୍କ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି ।

ସୋମବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ କୃଷକମାନେ ଅନଶନରେ ବସିବେ । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କୃଷକଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସେ ମଧ୍ୟ ଉପବାସ ରହିବେ । ସେହିପରି ସାରା ଦେଶରେ ଥିବା ଟୋଲ୍ ପ୍ଲାଜାକୁ ସେମାନେ ମୁକ୍ତ କରିବେ ।

ତେବେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କ ଭ୍ରମ ଏବେ ଦୂର ହୋଇଛି। ଏହା ଏବେ କେବଳ ଚାଷୀଙ୍କ ଆନ୍ଦୋଳନ ହୋଇ ନାହିଁ। ଆନ୍ଦୋଳନକୁ ସମାଜର ସବୁ ସ୍ତରରୁ ସମର୍ଥନ ବଢିବାରେ ଲାଗିଛି, ବେରୋଜଗାର, ଛାତ୍ର ଓ ସରକାରୀ କର୍ମଚାରୀ ଆନ୍ଦୋଳନକୁ ସମର୍ଥନ କରିବା ଚାଷୀଙ୍କୁ ଅଧିକ ବଳ ମିଳିଛି। ସରକାର ଏହା କେବଳ ପଞ୍ଜାବର ଚାଷୀ ଆନ୍ଦୋଳନ ଭାବୁଥିଲେ। ହେଲେ ତାହା ବି ଭୁଲ ପ୍ରମାଣିତ ହେଲାଣି। ଏବେ ସବୁ ରାଜ୍ୟରୁ ଚାଷୀ ଦିଲ୍ଲୀ ଛୁଟିବାରେ ଲାଗିଲେଣି। ଏଣୁ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ଚାପ ବଢୁଥିବା ବେଳେ ଆଗାମୀ ୪୮ ଘଣ୍ଟା ନିର୍ଣ୍ଣାୟକ ହେବ ବୋଲି ଆଶଙ୍କା କରାଯାଉଛି।

ସେପଟେ ଚାଷୀ ସରକାରଙ୍କ ବିରୋଧରେ ଯେଉଁ ରଣନୀତିରେ ଅଗ୍ରସର ହେଉଛନ୍ତି ତାହା ଯଦି ସଫଳ ହୁଏ ସରକାର ଚାଷୀଙ୍କ ଦାବି ଆଗରେ ନଇଁବା ଏକପ୍ରକାର ନିଶ୍ଚିତ ଦେଖାଗଲାଣି।  ତା ପୂର୍ବରୁ ଚାଷୀଙ୍କୁ ବୁଝାସୁଝା କରି କିପରି ଘରକୁ ଫେରାଇ ହେବ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଣ୍ଟା ଭିଡିଛନ୍ତି। ପ୍ରସଙ୍ଗର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅନ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରି ଚାଷୀ ଓ ସରକାରଙ୍କ ମଝିରେ କୌଣସି ରାସ୍ତା ବାହାର କରିବାକୁ ମାନସ ମନ୍ଥନରେ ଲାଗିପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.