‘କୃଷି ନିୟମ ଫେରାଅ, ଏମଏସ୍‌ପି ଉପରେ ଲିଖିତ ପ୍ରତିଶ୍ରୁତି ଦିଅ’, ସରକାରଙ୍କ ସାମ୍ନାରେ ୭ ଦାବି ରଖିଲା କୃଷକ ସଂଗଠନ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨: ୩ କୃଷି ନିୟମ ବିରୋଧରେ ପଞ୍ଜାବ ଓ ହରିୟାଣାର କୃଷକ ଦିଲ୍ଲୀ ବର୍ଡରରେ ଡେରା ପକାଇଛନ୍ତି। ସଂସଦରେ ସରକାର ଆଣିଥିବା ୩ କୃଷି ନିୟମକୁ ରଦ୍ଦ କରିବା ପାଇଁ କୃଷକମାନେ ଦାବି କରିଛନ୍ତି। କୃଷକଙ୍କୁ ଅନ୍ୟ ରାଜ୍ୟର କୃଷକମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ପରିସ୍ଥିତିରେ ସରକାର ଯଥାଶୀଘ୍ର ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଗରେ ନିଜର ଦାବିକୁ ଲିଖିତ ଆକାରରେ ଜଣାଇଛି କୃଷକ ସଂଗଠନ। ଏହି ସବୁ ଦାବି ଉପରେ ସେମାନେ ଲିଖିତ ଭାବେ ସମାଧାନ ଚାହୁଁଥିବା ମଧ୍ୟ ଦାବି କରିଛନ୍ତି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପଞ୍ଜାବ ଓ ହରିୟାଣା କୃଷକମାନଙ୍କ ସହ ଅନ୍ୟ ସଂଗଠନ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେପଟେ ପରିବହନ ସଂଗଠନ ଘୋଷଣା କରିଛି ଯେ ଯଦି ସରକାର କୃଷକମାନଙ୍କ ଦାବି ୨ ଦିନ ମଧ୍ୟରେ ନଶୁଣନ୍ତି ତେବେ ଦିଲ୍ଲୀରେ ସବୁ ଟ୍ରକ୍‌ ଓ ଟ୍ୟାକ୍ସି ବନ୍ଦ କରିଦିଆଯିବ।

କେନ୍ଦ୍ର ସରକାରଙ୍କ ପାଖରେ ୭ ଦାବି ରଖିଛି କୃଷକ ସଂଗଠନ
- ୩ କୃଷି ନିୟମ ଫେରାଅ
- ବାୟୁ ପ୍ରଦୂଷଣ ନିୟମ ପରିବର୍ତ୍ତନ ରଦ୍ଦ ହେଉ
- ବିଜୁଳୀ ବିଲ୍‌ ନିୟମ ପରିବର୍ତ୍ତନ ଚଳିବ ନାହିଁ
- ଏମଏସପି ଉପରେ ଲିଖିତ ପ୍ରତିଶ୍ରୁତି ଦିଅ
- କଣ୍ଟ୍ରାକ୍ଟ ଫାର୍ମିଂକୁ ନେଇ ନାରାଜ
- ଏମିତି କୌଣସି ବିଲ୍‌ କୃଷକ ଦାବି କରିନଥିବା ବେଳେ କାହିଁକି ଆସିଲା
- ଡିଜେଲ୍‌ ଦର ଅଧା କରାଯାଉ

ସୂଚନାଯୋଗ୍ୟ, ବିଜ୍ଞାନ ଭବନରେ ସରକାରଙ୍କ ସହ କୃଷକମାନଙ୍କ ଆଲୋଚନା ଚାଲିଛି। ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଅମିତ ଶାହ ଆଲୋଚନା ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.