ଗତବର୍ଷ ମରୁଡି ଘୋଷଣା ହେଲା, ଏ ଯାଏଁ ମିଳିନି କ୍ଷତିପୂରଣ, କୃଷକ ସଂଘ ପକ୍ଷରୁ ଧାରଣା

Published By : Prameya-News7 Bureau | October 28, 2022 IST

ଦେବଗଡ: ଅଞ୍ଚଳ ଗତବର୍ଷ ମରୁଡି ଘୋଷଣା ହେଲା। ତେବେ ଏ ଯାଏଁ ମିଳିନି କ୍ଷତିପୂରଣ। ଦେବଗଡ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗତ ଖରିଫ ଋତୁର ମରୁଡି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳିପାରିନାହିଁ। ଏହାକୁ ନେଇ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଦେବଗଡ ଜିଲ୍ଲାର ପାଞ୍ଚୋଟି ଗ୍ରାମ ପଞ୍ଚାୟତକୁ  ଗତବର୍ଷ ମରୁଡି ଘୋଷଣା କରାଯାଇଥିବା ବେଳେ ସେହି ଅଞ୍ଚଳର ଚାଷୀ ମାନଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇନାହିଁ । ଜିଲ୍ଲାର କରଲଗା, ପଳଶମା, ନୂଆଡିହି, ଖିଲେଇ ଓ ଦନ୍ତାରିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଷୀ ମାନେ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଟଙ୍କା ପାଇ ନାହାନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ କୃଷକ ମାନଙ୍କ ପ୍ରତି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁନାହାନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । କୃଷକ ମାନେ ବିଭିନ୍ନ ସ୍ଥାନରେ ନ୍ୟାୟ ପାଇବାରେ ବିଫଳ ହେବା ପରେ ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଘେରିଛନ୍ତି ।

ସେହିପରି ଦେବଗଡ ଜିଲ୍ଲା କୃଷକ ସଂଘ ପକ୍ଷରୁ ଶୁକ୍ରବାର ସେଣ୍ଟର ଫର କଲଚର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚଳିତବର୍ଷ ଖରିଫ ଋତୁ ଧାନ କିଣା ନେଇ ଆଲୋଚନା କରାଯାଇଥିଲା । ଚଳିତବର୍ଷ ଧାନ କିଣା ବେଳେ ଚାଷୀ ମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ଚାଷୀ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.