ହତାସ ଚାଷୀଙ୍କ ଆକ୍ରୋଶ, ଖେତରେ ଉଜାଡିଦେଲେ ଫସଲ

Published By : Prameya-News7 Bureau | February 21, 2021 IST

ବିଜନୌର ୨୧।୨: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ଏବେ କୃଷକଙ୍କ ମଧ୍ୟରେ ହତାସା ଭରିଛି। ଏଣୁ ବିଜନୌରରେ ଜନୈକ ଚାଷୀ କରିଥିବା ଗହମ ଖେତ ଉଜାଡି ଦେବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାଷୀ କେବଳ ନିଜ ପରିବାରର ଆବଶ୍ୟକତା ଲାଗି ଫସଲକୁ ଛାଡି ବାକି ଫସଲ ଉପରେ ଟ୍ରାକ୍ଟର ଚଲାଇଦେଇଛନ୍ତି।

ଆଇନ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ତୃତୀୟ ମାସରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ନା ସରକାର ଚାଷୀଙ୍କ ଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରୁଛନ୍ତି ନା ଚାଷୀ ତାଙ୍କ ଆଇନ ପ୍ରତ୍ୟାହାର ଜିଦରୁ ଓହରୁଛନ୍ତି। ଏଥିରେ ଚାଷୀଙ୍କ ମଧ୍ୟରେ ହତାସା ଦେଖାଦେଲାଣି। ଚାଷୀ ଓ ସରକାର ଶେଷଥର ଜାନୁୟାରୀ ୨୦ ତାରିଖରେ ଆଲୋଚନା କରିଥିଲେ। ତେବେ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ପରଠାରୁ ସରକାର ଆଉ ଚାଷୀଙ୍କ ସହ ଆଲୋଚନାକୁ ଆସୁ ନାହାନ୍ତି। କେବଳ ଆଲୋଚନା ହେବ ବୋଲି କହୁଛନ୍ତି।

ସେପଟେ ଚାଷୀ ଆନ୍ଦୋଳନକୁ ବଞ୍ଚାଇ ରଖିବାକୁ ସଂଗଠନମାନେ ବିକ୍ଷୋଭ, ରାଲି, ସଡକ ଅବରୋଧ, ରେଳ ଅବରୋଧ ଓ ମହାପଞ୍ଚାୟତରେ ମାତିଛନ୍ତି। ଏଥିରେ ଦେଶରେ କୋଭିଡ ନୂଆ ଷ୍ଟ୍ରେନ୍‌ ଏବେ ପ୍ରସରିବାରେ ଲାଗିଛି। ଏଣୁ ଆଗକୁ ଚାଷୀଙ୍କ ଆନ୍ଦୋଳନ ପ୍ରଭାବିତ ହେବା ଏକପ୍ରକାର ନିଶ୍ଚିତ ହୋଇଗଲାଣି।

{"id":412568,"width":577,"height":314,"sizeSlug":"large","linkDestination":"none"}

ପରିବର୍ତ୍ତିତ ପରିସ୍ଥିତିରେ ଚାଷୀ ଏବେ ତାର ବିରୋଧ ଲାଗି କରିବ କଣ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଚାଷୀଙ୍କ ବଢୁଥିବା ଆକ୍ରୋଶ ଏବେ ହତାସାରେ ପରିଣତ ହୋଇଛି। ଏଥିରେ ଜଣେ ଚାଷୀ ଏବେ ଫସଲ ଉଜାଡିବା ଏବେ ଅନ୍ୟ ଚାଷୀଙ୍କୁ ମଧ୍ୟ ଉତ୍ସାହିତ କରିବ। ଯଦି ଏପରି ହୁଏ କରୋନାରେ ଦେଶର ପରିସ୍ଥିତି କଣ ହେବ ତାହା ଅକଳ୍ପନୀୟ। ହେଲେ ସରକାର ଏଥିପ୍ରତି ବିତସ୍ପୃହ।

ଏଣୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ପ୍ରସଙ୍ଗରେ ସେ ଦେଇଥିବା ଆହ୍ୱାନକୁ ଆକ୍ଷରିକ ପାଳନ କରିବା ଜରୁରି ନୁହେଁ ବୋଲି କହିଛନ୍ତି। ଚାଷୀଙ୍କୁ ଆନ୍ଦୋଳନ ଲାଗି ଆବଶ୍ୟକ ପଡିଲେ ତାଙ୍କ ଫସଲ ମୋହ ତ୍ୟାଗ କରିବାକୁ ସେ କହିଥିଲେ। ଏହା ମାନେ ନୁହେଁ ଯେ ଛିଡା ଫସଲ ଉପରେ ଟ୍ରାକ୍ଟର ଚଳାଇବାକୁ କହିଥିଲେ ବୋଲି କହିଛନ୍ତି। ଯଦି କୌଣସି ଚାଷୀ ଆର୍ଥିକ କାରଣ ହେଉ ବା ଶ୍ରମିକ ଯୋଗୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାଙ୍କୁ ତୁରନ୍ତ ଅନ୍ୟ ଚାଷୀମାନେ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.